Tra

ହରିଚନ୍ଦନପୁର: ଝିଅ ଭୁବନେଶ୍ବରରୁ ଘରକୁ ଆସୁଛି ବୋଲି ପରିବାର ଲୋକେ ବହୁତ ଖୁସିରେ ଥିଲେ। ଝିଅ ଆସିଲେ କ’ଣ ଖାଇବ କେଉଁଠିକୁ ବୁଲିଯିବ ସେଥି ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ। ତେବେ ଯେଉଁ ଝିଅର ପହଞ୍ଚିବାକୁ ପରିବାର ଲୋକେ ସକାଳ ଠାରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ, ସିଏ ଆଉ ଜୀବିତ ଫେରି ନାହିଁ। ପରିବାର ଲୋକଙ୍କର ହସଖୁସିରେ ଅଂଶୀଦାର ହୋଇପାରି ନାହିଁ। ପରିବାର ଲୋକଙ୍କୁ ତାର ମୃତ୍ୟୁ ଖବର ମିଳିଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦେଇ ଯାଇଥିବା ରେଳଲାଇନ୍‌ରୁ ଆଜି ପୂର୍ବାହ୍‌ଣରେ ଜଣେ ଏମ୍‌ସିଏ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ନମ୍ରତା ବେହରା।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଧୀନ ଖିରେଇଟାଙ୍ଗିରି ପଞ୍ଚାୟତର ଡଳଙ୍ଗ ଗାଁର ବିଜୟାନନ୍ଦ ବେହେରାଙ୍କ ଝିଅ ନମ୍ରତା ବେହରା ଭୁବନେଶ୍ବରର ଏକ ଘରୋଇ ମହାବିଦ୍ୟାଳୟରେ ଏମ୍‌ସିଏ ପଢୁଥିଲେ। ସେ ଆଜି ସକାଳୁ ଜଣେ ସାଙ୍ଗ ସହିତ ଘରକୁ ବାହାରି ଥିଲେ। ଏଥି ପାଇଁ ଟ୍ରେନ୍‌ ନମ୍ବର ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ୍‌ରେ ବାହାରି ଥିଲେ। ସାଙ୍ଗ ସହିତ ସେ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନରେ ପ୍ରାୟ ସାଢ଼େ ୮ଟାରେ ଟ୍ରେନ୍‌ରେ ଚଢ଼ିଥିଲେ। ନିୟମିତ ସମୟ ଠାରୁ ଟ୍ରେନ୍‌ ସାମାନ୍ୟ ବିଳମ୍ବରେ ଚାଲିଥିଲା। ଏଥି ପାଇଁ ଟ୍ରେନ୍‌ଟି ହରିଚନ୍ଦନପୁରରେ୧୦ଟା ୧୬ରେ ପହଞ୍ଚିବା ପରିବର୍ତ୍ତେ ୧୨ଟା ୨୨ରେ ପହଞ୍ଚି ଥିଲା। କିନ୍ତୁ ଏହା ପୂର୍ବରୁ ନମ୍ରତା ଟାଙ୍ଗିରିଆପାଳ-ଶଗଡ଼ପଟା ମଝିରେ ଟ୍ରେନ୍‌ରୁ ଖସିପଡ଼ିଥିଲେ।

ଜଣେ ଉଚ୍ଚଶିକ୍ଷିତ ଝିଅ ନମ୍ରତା ଟ୍ରେନ୍‌ରୁ ଖସିପଡ଼ିବା ନେଇ ତାଙ୍କର ସାଙ୍ଗଙ୍କ ସୂଚନା କ୍ରମେ ରେଳବାଇ ପୁଲିସ ମୃତଦେହ ଜବତ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଜିଆରପି ଏକ ମାମଲା ରୁଜୁ କରିଛି। କେଉଁ ପରିସ୍ଥିତିରେ ନମ୍ରତାଙ୍କର ମୃତ୍ୟୁ ହେଲା ସେନେଇ ଘଟଣାର ଅଧିକ ତଦନ୍ତ କରୁଛି। ଅନ୍ୟପଟରେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳ ଓ ଡଳଙ୍ଗ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।

Share