Recent Photo 1742659118

ଭୁବନେଶ୍ୱର : ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଏହି ବିବାଦର ଆପୋଷ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ। ଦୁଇ ରାଜ୍ୟ ପରସ୍ପରର ପଡ଼ୋଶୀ ରାଜ୍ୟ ଏବଂ ଉଭୟ ରାଜ୍ୟ ମଧ୍ୟରେ ଭାଷା ଓ ଭାବଗତ ସାମଞ୍ଜସ୍ୟ ମଧ୍ୟ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଉଭୟ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ତୁରନ୍ତ ସମାଧାନ ହେବା ଆବଶ୍ୟକ।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ଏହା ଉପରେ ସକାରାତ୍ମକ ମତାମତ ପ୍ରକାଶ କରି କହିଥିଲେ ଯେ, ସେ ସଦାସର୍ବଦା ଆପୋଷ ସମାଧାନ ସପକ୍ଷରେ ଅଛନ୍ତି। ଆଲୋଚନା ଜରିଆରେ ଏହି ସମସ୍ୟାର ଉପଯୁକ୍ତ ସମାଧାନ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବିଷୟ ଉପରେ ଗୁରୁତ୍ୱ ଦେଇ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାସ୍ତା ବାହାର କରିବାକୁ ଏକମତ ହୋଇଛନ୍ତି।

Share