ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ଇରାନକୁ ପୁଣି ବଡ଼ ଝଟକା । ଇସ୍ରାଏଲ ଆକ୍ରମଣରେ ଇରାନର ନୂଆ ଆର୍ମି ଚିଫ୍ ନିହତ । ୱାର ଟାଇମ୍ ଚିମିଅଫ୍ ଷ୍ଟାଫ ଅଲ୍ଲୀ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଆଇଡିଏଫ୍ । ଇରାନ ତାଙ୍କୁ ଯୁଦ୍ଧ ସମୟରେ ସେନାର ମୁଖ୍ୟ ଭାବେ ନିଯୁକ୍ତ କରିଥିଲା ।
ଗତକାଲି ରାତିରେ ତେହରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଶାଦମାମୀଙ୍କ ମୃତ୍ୟୁ ହୋଇଥିବା କହିଛି ଇସ୍ରାଏଲ । ଇରାନର ବରିଷ୍ଠ ସାମରିକ ଅଧିକାରୀ ଥିଲେ ଶାଦମାମୀ । ଏହା ସହ ସୁପ୍ରିମ ଲିଡର ଆୟୋତୋଲ୍ଲା ଅଲ୍ଲି ଖାମନେଇଙ୍କ ନିକଟତମ ସାମରିକ ପରାମର୍ଶଦାତା ଥିଲେ ।
IDF ଅନୁଯାୟୀ, ଶାଦମାନୀ ଇରାନୀ ସଶସ୍ତ୍ର ବାହିନୀର ଜରୁରୀକାଳୀନ କମାଣ୍ଡ ଓ ଖାତାମ ଅଲ-ଆନବିୟା ମୁଖ୍ୟାଳୟର କମାଣ୍ଡର ଥିଲେ । ଏହା ପୂର୍ବରୁ ଇସ୍ରାଏଲ ହମଲାରେ ଇରାନ ସେନା ମୁଖ୍ୟ ଏବଂ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ହୁସେନ ସଲାମୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମହମ୍ମଦ ବାଘେରିଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ୨୦୦ ଫାଇଟର ଜେଟ୍ ଆକ୍ରମଣ ରେ ଇରାନ ସେନା ମୁଖ୍ୟ, ରିଭୋଲ୍ୟୁସନାର ଗାର୍ଡ କମାଣ୍ଡର ଓ ଏମର୍ଜେନସୀ କମାଣ୍ଡର ମୁଖ୍ୟ ନିହତ ହୋଇଥିବା କହିଥିଲା ଆଇଡିଏଫ୍ ।
ସେପଟେ ତେହରାନବାସୀ ସହର ଛାଡ଼ି ଚାଲିଯାଉଛନ୍ତି । ଲୋକେ ଭୟଭୀତ ହୋଇ ସହର ଛାଡ଼ୁଥିବା ଦେଖିବାକୁ ମିଳିଛି । ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି ଲୋକ । ଭାରତ ନାଗରିକମାନଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରିଛି । ଭାରତ ଏହାର ନାଗରିକମାନଙ୍କୁ ତୁରନ୍ତ ତେହେରାନ ଛାଡିବାକୁ କହିଛି । ତେହେରାନରୁ ବାହାରକୁ ଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି ।