ନୂଆଦିଲ୍ଲୀ: ପୁଣି ଜାଫର ଏକ୍ସପ୍ରେସକୁ ନେଇ ଆସିଲା ବଡ ଖବର । ଜାଫର ଏକ୍ସପ୍ରେସରେ ବିସ୍ଫୋରଣ । ରେଳ ଧାରଣାରେ ବିସ୍ଫୋରଣ ପରେ ଲାଇନ ଚ୍ୟୁତ ହେଲା ଜାଫର ଏକ୍ସପ୍ରେସର ୬ଟି ବଗି । ପାକିସ୍ତାନରେ ପୂର୍ବରୁ ହାଇଜାକ୍ ହୋଇଥିବା ଜାଫର ଏକ୍ସପ୍ରେସ ଏବେ ପୁଣିଥିରେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି । ବାଲୁଚିସ୍ତାନ ପ୍ରଦେଶର ଜାକୋବାବାଦ ନିକଟରେ ରେଳ ଟ୍ରାକରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହେବା ଫଳରେ ଏହି ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।
ତେବେ ପେଶାୱାରରୁ କ୍ୱେଟା ଅଭିମୁଖେ ଯାଉଥିବା ଏହି ଟ୍ରେନଟି ବୋଲାନ ପାସ ନାମକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଟ୍ରାକରେ ୩ ଫୁଟ୍ ଚଉଡା ଏକ ଗାତ ସୃଷ୍ଟି ହୋଇଛି ଏବଂ ପ୍ରାୟ ୬ ଫୁଟ ରେଳ ଲାଇନ ନଷ୍ଟ ହୋଇଛି ।
ଏହି ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଅନୁମାନ କରୁଛି ପାକିସ୍ତାନ ପ୍ରଶାସନ। ଅନୁସନ୍ଧାନକାରୀମାନେ ବାଲୋଚ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ସମ୍ପୃକ୍ତି ସମ୍ପର୍କରେ ସନ୍ଦେହ କରୁଛନ୍ତି, ଯେଉଁମାନେ ପୂର୍ବରୁ ମଧ୍ୟ ଜାଫର ଏକ୍ସପ୍ରେସକୁ ଟାର୍ଗେଟ କରିଥିଲେ ।