Himachal pradesh 750x430

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ମୌସୁମୀ ବର୍ଷା ବିତ୍ପାତ ଜନସାଧାରଣଙ୍କୁ ନାକେଦମ କରିଛି। ଦୁଇ ସପ୍ତାହ ଧରି ରାଜ୍ୟରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ଘଟିସାରିଛି। ବନ୍ୟାଜଳରେ ଭାସିଯାଇ ଅନେକ ଲୋକ ନିଖୋଜ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏହା ସହିତ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁ ରାଜ୍ୟରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି।

ଜୁନ ୨୦ରୁ ଜୁଲାଇ ୩ ମଧ୍ୟରେ ହୋଇଥିବା ବର୍ଷାରେ ରାଜ୍ୟର ମଣ୍ଡି ଜିଲା ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ବହୁ ଘରଦ୍ଵାର ଭୁଶୁଡ଼ି ପଡ଼ିଛି। ଅନେକ ଗାଡ଼ିମୋଟର ମାଟିତଳେ ଦବିଯିବା ସହିତ ବନ୍ୟାଜଳରେ ଭାସିଯାଇଛି। ଏବେ ବି କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟବ୍ୟାପୀ ୨୫୦ରୁ ଅଧିକ ରାସ୍ତାଘାଟ ଏବେ ବି ବନ୍ଦ ରହିଛି। ୫୦୦ରୁ ଅଧିକ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ଅବସ୍ଥାରେ ଅଛି।

ଏସବୁ ଭିତରେ ଭାରତ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ଲାଗି ରହିବା ସାଙ୍ଗକୁ ଭୂସ୍ଖଳନ ଘଟିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share