Wiki

ନୂଆଦିଲ୍ଲୀ: ଉଇକିପିଡ଼ିଆର ସମୁଦାୟ ତଥା ଉଇକିପିଡ଼ିଆର ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଉଥିବା ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ, ଏଥର କେନିଆର ନାଇରୋବି ସହରରେ ଆୟୋଜନ କରାଯାଇଛି । ଏଥିରେ ଓଡ଼ିଶାରୁ ଉଭୟ ଓଡ଼ିଆ ଓ ସାନ୍ତାଳି ଉଇକିଆଳିମାନେ (ଉଇକିପିଡ଼ିଆରେ ସ୍ୱେଚ୍ଛାସେବୀ ଭାବରେ ଲେଖୁଥିବା ବ୍ୟକ୍ତି) ଯୋଗ ଦେଇଥିଲେ । ପ୍ରତିବର୍ଷ ଅଗଷ୍ଟ ମାସରେ ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମ ୨୦ ବର୍ଷରେ ପଦାର୍ପଣ କରିବା ସହିତ ଏହି ବର୍ଷ ୬ ରୁ ୯ ଅଗଷ୍ଟ ଯାଏଁ ଚାରିଦିନ ବ୍ୟାପୀ ପାଳନ କରାଯାଇଥିଲା ।

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର୍ ଗ୍ରୁପ୍‌ର ସଦସ୍ୟ ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତି ପ୍ରତିନିଧିତ୍ୱ କରିଥିଲେ । ଚିନ୍ମୟୀ ବୃତ୍ତିରେ ଜଣେ ଇଞ୍ଜିନିୟର ଏବଂ ୨୦୧୫ ମସିହାରେ ଉଇକିମିଡ଼ିଆରେ ଯୋଗ ଦେଇଥିଲେ । ଭେଦଭାବ କିମ୍ବା ପକ୍ଷପାତରୁ ମୁକ୍ତ ହୋଇ ସମସ୍ତଙ୍କୁ ଆଗକୁ ବଢ଼ିବାର ଯଥେଷ୍ଟ ସୁଯୋଗ ଥିବା ଏକ ସମାବେଶୀ ସ୍ଥାନ ସୃଷ୍ଟି କରିବାର ପ୍ରୟାସ ପାଇଁ ସେ ଜଣାଶୁଣା । ଚିନ୍ମୟୀ ଏଥର ଉଇକିମାନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଉଇକି ଓମେନ୍ସ କ୍ୟାମ୍ପର ବିଶେଷ ଆୟୋଜନ କରିଛନ୍ତି । ୨୦୨୩ ମସିହାରେ, ସେ ଉଇକି ଓମେନ୍ସ କ୍ୟାମ୍ପ ଭାତରେ ଆୟୋଜନ କରାଇଥିବାବେଳେ ମହିଳାମାନଙ୍କ ସକ୍ରିୟ ଯୋଗଦାନ ପାଇଁ କାମ କରି ଆସୁଛନ୍ତି ।

୨୦୧୪ ମସିହାରୁ ଉଇକିମିଡ଼ିଆରେ ଯୋଗ ଦେଇଥିବା ଅନ୍ୟତମ ସକ୍ରିୟ ଉଇକିଆଳି ସଂଗ୍ରାମ କେଶରୀ ସେନାପତି ଓଡ଼ିଆ ଉଇକିପିଡ଼ିଆ, ଓଡ଼ିଆ ଉଇକିପାଠାଗାର, ଉଇକିମିଡ଼ିଆ କମନ୍ସ, ଉଇକିଡାଟା ଓ ଲିଙ୍ଗୁଆଲିବ୍ରେ ଆଦିରେ ସକ୍ରିୟ ଭାବରେ ଅବଦାନ କରି ଆସୁଛନ୍ତି । ୨୦୧୭ ମସିହାରୁ, ସେ ଓଡ଼ିଆ ଉଇକିପିଡ଼ିଆରେ ପ୍ରତିଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ଆସୁଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୩୦୦୦ ଦିନ ଅତିକ୍ରମ କରି ସାରିଲେଣି । ଉଇକିମିଡ଼ିଆ ସମୁଦାୟରେ ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ସମ୍ପାଦନା ସହିତ ସଂଗ୍ରାମ ଏବେ ଓଡ଼ିଆ ଉଇକିପାଠାଗାରରେ ପରିଚ୍ଛା ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଲିଙ୍ଗୁଆ ଲିବ୍ରେରେ ତାଙ୍କର ଓ ସୁଭାସିସଙ୍କର ବଳିଷ୍ଠ ଯୋଗଦାନ ଯୋଗୁଁ ଏହି ପ୍ରକଳ୍ପର ଓଡ଼ିଆ ୨ୟ ସ୍ଥାନରେ ପହଞ୍ଚିପାରିଛି ।

୨୦୧୧ ମସିହାରୁ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପ ସହ ଜଡ଼ିତ ଥିବା ଓଡ଼ିଆ ଉଇକିପିଡ଼ିଆର ପରିଚ୍ଛା ସୁଭାସିସ ପାଣିଗ୍ରାହୀ ଅନ୍‌ଲାଇନ୍ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଓପନ୍‌ସ୍ପିକ୍‌ସ୍ ଆର୍‌କାଇଭ୍‌ସ୍: ଉଇକିମିଡ଼ିଆ ପ୍ରକଳ୍ପ ପାଇଁ ଭାଷାର ଡିଜିଟାଲ୍ ସଂଗ୍ରହାଳୟ ଉପରେ ଉପସ୍ଥାପନା କରିଥିଲେ ।

ଏଥର ଉଇକିମାନିଆରେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିନିଧିତ୍ୱ କରୁଥିବା ଦୁର୍ଗା ସୋରେନ, ୨୦୧୭ ମସିହାରୁ ସାନ୍ତାଳୀ ଉଇକିପିଡ଼ିଆରେ ସକ୍ରିୟ ଭାବରେ କାମ କରୁଛନ୍ତି । ସେ ସାନ୍ତାଳୀ ଉଇକିପିଡ଼ିଆର ପ୍ରତିଷ୍ଠା ତଥା ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏଆଇ/ଏମ୍‌ଏଲ୍ ମଡେଲ, ଅନୁବାଦ ଉପକରଣ ନିର୍ମାଣ ଓ ଗବେଷଣା ଉଦ୍ଦେଶ୍ୟରେ ସାନ୍ତାଳୀ ଭାଷା ଡାଟାସେଟ୍ ତିଆରି ପାଇଁ ବିଭିନ୍ନ ଭାରତୀୟ ଜାତୀୟ ତଥା ଆନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ସହ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ, ସେ ଏନ୍‌ଆଇଟି ଜାମସେଦପୁରରେ ଜଣେ ପ୍ରକଳ୍ପ ସହାୟକ ଭାବରେ କାର୍ଯ୍ୟ କରୁଛନ୍ତି ।

ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକିମାନିଆ ସମ୍ମିଳନୀରେ ଓଡ଼ିଶାର ଏହି ଉଇକିଆଳିଙ୍କ ଅଂଶଗ୍ରହଣ ଉଇକିମିଡ଼ିଆ ସମୁଦାୟରେ ଓଡ଼ିଆ ଓ ସାନ୍ତାଳୀ ଭାଷା ସମ୍ପ୍ରଦାୟର ବଢ଼ୁଥିବା ଯୋଗଦାନ ଓ ଅବଦାନର ପ୍ରମାଣ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ସେମାନଙ୍କ ଉପସ୍ଥିତି ସେମାନଙ୍କ ଅନୁଭୂତି ବାଣ୍ଟିବା, ବିଶ୍ୱ ସମୁଦାୟଠାରୁ ଶିଖିବା ତଥା ଉଇକିମିଡ଼ିଆ ଆନ୍ଦୋଳନର ବହୁଭାଷୀ ପ୍ରୟାସକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରେ ।

Share