ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭ ତାରିଖରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ। ପୂର୍ବ ତାଲିକାରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୬ ତାରିଖରେ ଭାଷଣ ଦେବେ, କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ବୈଠକକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମ୍ବୋଧିତ କରିବେ। ଆଉ ବର୍ତ୍ତମାନ ଆମେରିକାର ଶୁଳ୍କ ଚାପ ଯୋଗୁଁ ଭାରତ ସହିତ ଆମେରିକାର ତିକ୍ତତା ରହିଛି। କୁହାଯାଉଛି ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି। ତେଣୁ ତାଙ୍କ ପରିବର୍ତ୍ତେ ଏବେ UNGA ରେ ଜୟଶଙ୍କର ପ୍ରତିନିଧିତ୍ଵ କରିବେ।
ଅପରପକ୍ଷେ ଏହି ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିଥିଲେ। ଯାହା ଉଭୟଙ୍କ ଶେଷ ସାକ୍ଷାତ ଥିଲା। ଏହାପରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି, ଯେଉଁଥିରେ ରୁଷରୁ ତେଲ କିଣିବା ଉପରେ ୨୫ ପ୍ରତିଶତ ଶୁଳ୍କ ମଧ୍ୟ ଅନ୍ତର୍ଭୁକ୍ତ। ଏଭଳି ସମୟରେ ଭାରତ ଏବଂ ଆମେରିକା ସମ୍ପର୍କ ଖରାପ ସ୍ଥିତିରେ ଅଛି। ଆଉ ଏହି UNGA ଅଧିବେଶନ ଏପରି ସମୟରେ ହେଉଛି ଯେତେବେଳେ ଇସ୍ରାଏଲ-ହମାସ୍ ଯୁଦ୍ଧ ଏବଂ ୟୁକ୍ରେନ ସଙ୍କଟ ଭଳି ବିଶ୍ୱସ୍ତରୀୟ ପ୍ରସଙ୍ଗ ଆଲୋଚନାରେ ରହିଛି। UNGAର ଅସ୍ଥାୟୀ ତାଲିକାରେ ପରିବର୍ତ୍ତନ ହେବାର ସମ୍ଭାବନା ସର୍ବଦା ରହିଥାଏ। ଉଚ୍ଚସ୍ତରୀୟ ସପ୍ତାହ ପାଖେଇ ଆସିବା ସହିତ, ବକ୍ତା ଏବଂ କାର୍ଯ୍ୟସୂଚୀରେ ଆହୁରି ପରିବର୍ତ୍ତନ ହୋଇପାରେ। ଏହା ବିଶ୍ୱାସ କରାଯାଉଛି ଯେ ଭାରତ ପକ୍ଷରୁ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏହି ମଞ୍ଚରେ ଦେଶର ପକ୍ଷ ଦୃଢ଼ ଭାବରେ ଉପସ୍ଥାପନ କରିବେ।

