Addl tahasildar

କଟକ : ଲାଞ୍ଚ ନେବା ମାମଲାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ  ।  ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକଙ୍କୁ ଗତକାଲି ଧରିଥିଲା ଭିଜିଲାନ୍ସ ।  ପ୍ରକାଶଙ୍କ ସହିତ ପିଅନ କାହ୍ନୁ ସାହୁ ମଧ୍ୟ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି  ।

ଏକ ଜମି ପଟ୍ଟାରେ ନାମ ଦରଜ ପାଇଁ ସେ ଏହି ଲାଞ୍ଚ ନେଉଥିଲେ।  ଅଭିଯୋଗକାରୀ ଓକିଲ ନିଜ ମହକିଲଙ୍କ ପାଇଁ ତହସିଲଦାରଙ୍କ ନିକଟରେ ମାମଲା କରିଥିବା ବେଳେ ସେହି ମହକିଲଙ୍କ ନାମରେ ଜମି ପଟ୍ଟା କରାଇବାକୁ ନିର୍ଦ୍ଦେଶ ମଧ୍ୟ ଥିଲା। କିନ୍ତୁ ଏହା କରିବା ପାଇଁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅତିରିକ୍ତ ତହସିଲଦାର। ପିଅନ ଜରିଆରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ମାଡି ବସିଥିଲା ।

ଏହାପରେ ଅତିରିକ୍ତ ତହସିଲଦାରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ।  ଅତିରିକ୍ତ ତହସିଲଦାର ପ୍ରକାଶଙ୍କ ପୈତୃକ ଘରୁ ୨ଲକ୍ଷ ୯୦ ହଜାର ନଗଦ ଟଙ୍କା ମିଳିଥିବା ବେଳେ ତାଳଚେରର ଭଡା ଘରୁ ୨୩ହଜାର ଟଙ୍କା ସହିତ ଏଲଆଇସି ବଣ୍ଡ , ବୁଲେଟ ଓ ଏକ କାରର କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ।  ତେବେ ସରକାରୀ ବାବୁଙ୍କ ର ଆଉ କେଉଁଠି ଫ୍ଲାଟ୍, ଏବଂ ପ୍ଲଟ ରହିଛି ତା’ର ଛାନଭିନ ଭିଜିଲାନ୍ସ କରୁଛି ବୋଲି କଟକ ଭିଜିଲାନ୍ସ ଡିଭିଜନ ଏସପି କେ ବେଣୁଗୋପାଳ ଆଚାର୍ଯ୍ୟ କହିଛନ୍ତି ।

Share