ନୂଆଦିଲ୍ଲୀ : ଭାରତୀୟ ବଜାର ଉପରେ ଗୁଗୁଲ୍ ଅଧିକ ମନୋନିବେଶ କରିବ। ବିଶାଖାପାଟଣାଠାରେ ଗୁଗୁଲ୍ ପକ୍ଷରୁ ଏକ ଏଆଇ ହବ୍ ସ୍ଥାପନ କରାଯିବ। ନୂଆଦିଲ୍ଲୀଠାରେ ଚାଲିଥିବା ଏଆଇ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ଏହି ସୂଚନା ଦେଇଛନ୍ତି। ସମ୍ମିଳନୀର ଏକ ଅଧିବେଶନରେ ଚାଲିଥିବା ଆଲୋଚନାରେ ଅଂଶଗ୍ରହଣ କରି ପିଚାଇ କହିଲେ ଯେ ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏଆଇର ଉପଯୋଗିତା ଉପରେ ସେ ଗୁରୁତ୍ବ ଆରୋପ କରିଛନ୍ତି। ବିଶେଷକରି ଅନିଶ୍ଚିତ ମୌସୁମୀ ଦୃଷ୍ଟିରୁ ଚାଷୀମାନଙ୍କୁ ଠିକ୍ ସମୟରେ ପାଣିପାଗ ସଂକ୍ରାନ୍ତ ସୂଚନା ଦେବା ପାଇଁ ଏଆଇର ବ୍ୟାପକ ବ୍ୟବହାର କରାଯାଇପାରିବ।
ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା(ଏଆଇ) ଯେଭଳି ବିଶ୍ବରେ କିମ୍ବା କୌଣସି ରାଷ୍ଟ୍ର ଭିତରେ ଅର୍ଥନୈତିକ ଅସମାନତାକୁ ଆହୁରି ବୃଦ୍ଧି ନ କରେ ସେ ଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି। ଡିଜିଟାଲ ଡିଭାଇଡ୍ ଯେଭରି ଦୁଇ ପ୍ରକାର ସମାଜ ସୃଷ୍ଟି କରିଛି ଏଆଇ ବ୍ୟବହାରକୁ ନେଇ ମଧ୍ୟ ଯେଭଳି ସମାନ ସ୍ଥିତି ନ ଉପୁଜିବ ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ତେବେ ଏହି ଅସମାନତା ଯେଭଳି ବୃଦ୍ଧି ନହୁଏ ସେ ଦିଗରେ ପ୍ରସ୍ତୁତ ରହିବାକୁ ହେଲେ ଏଆଇରେ ଅଧିକ ପୁଞ୍ଜିନିବେଶ କରାଯିବା ଜରୁରୀ ବୋଲି ପିଚାଇ କହିଛନ୍ତି।
