ଭୁବନେଶ୍ବର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଟିବାଟି ଜମି ରହିଛି। ରାଜ୍ୟର ୨୪ ଜିଲାରେ ଶ୍ରୀଜଗନ୍ନାଥଙ୍କ ୬୦, ୪୨୬, ୯୪୩ ଏକର ଜମି ଥିବା ଚିହ୍ନଟ ହୋଇଛି। ୨୪ ଜିଲାର ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ଏହି ଜମି ଚିହ୍ନଟ କରାଯାଇଛି। ଚିହ୍ନଟ ଜମି ମଧ୍ୟରୁ ୩୮, ୦୬୧, ୮୯୨ ଏକର ଜମିର ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି; କିନ୍ତୁ ୭ ଜିଲାରେ ମହାପ୍ରଭୁଙ୍କ ୨୭୨.୧୪୧୬୭ ଏକର ଜମି ବିଭିନ୍ନ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ତନ୍ମଧ୍ୟରୁ ୪୨ ଏକର ଜମି ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ଅଣାଯାଇ ପାରିଛି। ଅବଶିଷ୍ଟ ଜମି ଜବରଦଖଲ ମୁକ୍ତ ହୋଇପାରି ନାହିଁ।
ବିଧାନସଭାରେ ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ, ବିଭିନ୍ନ ଜିଲାରେ ୬୦, ୪୨୬, ୯୪୩ ଏକର ପରିମିତ ଜମି ରହିଛି। ତନ୍ମଧ୍ୟରୁ ୩୮, ୦୬୧, ୮୯୨ ଏକର ଜମିର ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିଛି। ପୁରୀ ଜିଲାରେ ୧୭, ୦୭୧.୨୧୨ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଖୋରଧାରେ ୨୯, ୭୫୨.୯୦୭, କଟକରେ ୩, ୨୧୪.୦୬୩, ଅନୁଗୋଳରେ ୧୧୭.୮୪୦, ଢେଙ୍କାନାଳରେ ୨୧୪.୧୭୪, ବାଲେଶ୍ବରରେ ୮୬୬.୯୫୦, ଭଦ୍ରକରେ ୨, ୯୩୭.୩୦୦, କେନ୍ଦ୍ରାପଡ଼ାରେ ୧, ୧୮୪.୧୭୭, ଯାଜପୁରରେ ୮୩୬.୧୫୫, ଜଗତସିଂହପୁରରେ ୭୦୧.୦୧୯, ନୟାଗଡ଼ରେ ୨୬୮.୮୬୦, ଗଞ୍ଜାମରେ ୨, ୮୬୯.୯୧୯, ବରଗଡ଼ରେ ୩୮.୭୩୦, ସମ୍ବଲପୁରରେ ୯.୨୬୦, ବଲାଙ୍ଗିରରେ ୫୨.୦୪୦, ଗଜପତିରେ ୩୩.୯୭୭, ରାୟଗଡ଼ାରେ ୧୭.୪୬୦, କୋରାପୁଟରେ ୨୭.୪୧୦, ସୁବର୍ଣ୍ଣପୁରରେ ୧.୦୦୦, କେନ୍ଦୁଝରରେ ୧୨.୦୨୦, ମୟୂରଭଞ୍ଜରେ ୫୭.୯୭୦, ସୁନ୍ଦରଗଡ଼ରେ ୪୫.୪୫୦, କଳାହାଣ୍ଡିରେ ୫୧.୩୧୦, ନୂଆପଡ଼ାରେ ୪୬.୭୩୦ ଏକର ଜମି ରହିଛି। ବେଆଇନ ଭାବେ ବିଭିନ୍ନ ବ୍ୟକ୍ତି ୨୭୨.୧୪୧୬୭ ଏକର ଜମି ଜବରଦଖଲରେ ରଖିଛନ୍ତି। ଅବରୋଧ ହୋଇଥିବା ଶ୍ରୀଜୀଉଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଜବରଦଖଲମୁକ୍ତ କରିବା ମୋକଦ୍ଦମା ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଛି। ତନ୍ମଧ୍ୟରୁ ୪୨ ଏକର ଜମି ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ଅଣାଯାଇଛି। କଟକ ଜିଲାରେ ୨.୧୯୪ ଏକର ଜମି ଜବରଦଖଲରେ ଥିବାବେଳେ ପୁରୀରେ ୧୨୪.୯୧୨୬୭, ଭଦ୍ରକରେ ୫୨.୭୫୫, କେନ୍ଦ୍ରାପଡ଼ାରେ .୬୬୦, ଖୋରଧାରେ ୫୯.୦୪୮, ବାଲେଶ୍ବରରେ ୨୭.୭୫୦, ଯାଜପୁରରେ ୪.୮୨୨ ଏକର ଜମି ଜବରଦଖଲ ରହିଛି। ଏହି ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଉକ୍ତ ୭ଟି ଜିଲାରେ ୯୯୧ଟି ମାମଲା ରୁଜୁ ହୋଇଛି।

