ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଫ୍ଲାଇଟ୍ ଉପରେ ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧର ବହୁତ ବଡ଼ ପ୍ରଭାବ ପଡିଛି । ଗତ ତିନି ସପ୍ତାହ ମଧ୍ୟରେ ପାଖାପାଖି ୨୫୦୦ ଉଡାଣ ବାତିଲ କରାଯାଇଛି ବୋଲି ଏୟାରଲାଇନ୍ସର ସିଇଓ କ୍ୟାମ୍ପେବେଲ ୱିଲସନ୍ କର୍ମଚାରୀମାନଙ୍କୁ ସୂଚନା ଦେଇଛନ୍ତି । ଏୟାର ଇଣ୍ଡିଆ ବର୍ତ୍ତମାନ ପଶ୍ଚିମ ଏସିଆକୁ ଏହାର ସାଧାରଣ ଉଡାଣର ପ୍ରାୟ ୩୦% ପରିଚାଳନା କରୁଛି ବୋଲି ମଧ୍ୟ ସେ କହିଛନ୍ତି । ଏବେ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ କରିଦିଆଯାଇଛି ।
ସୂଚନାନୁଯାୟୀ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବ ଏବଂ ବିମାନ ଶିଳ୍ପକୁ ପ୍ରଭାବିତ କରୁଛି । ଏୟାର ଇଣ୍ଡିଆ ପାଇଁ ଏହି ପ୍ରଭାବ ଖୁବ୍ ବଡ଼ ରହିଛି । କାହିଁକିନା ଏହି ସ୍ଥାନରେ ଏହାର ଉଡାଣର ସଂଖ୍ୟା ସବୁଠାରୁ ଅଧିକ ଥିଲା । ଏହି ପରିସ୍ଥିତିର ପ୍ରଭାବ ମଧ୍ୟ ଆର୍ଥିକ ସ୍ତରରେ ଦେଖିବାକୁ ମିଳିଛି ବୋଲି ମଧ୍ୟ ସେ କହିଛନ୍ତି । ଜେଟ୍ ଫ୍ଲୁର ମୂଲ୍ୟ ପୂର୍ବ ଅପେକ୍ଷା ଦ୍ବିଗୁଣ ବଢିଯାଇଛି । ଯାହା ଫଳରେ ଖର୍ଚ୍ଚ ମଧ୍ୟ ସେହିପରି ବଢିଯାଇଛି । ଏୟାର ଇଣ୍ଡିଆ ଟିକେଟ୍ ଏବଂ ଫ୍ଲୁ ଚାର୍ଜକୁ ବଢାଇଦେଇଛି । ଯାହା ଫଳରେ କିଛି ଖର୍ଚ୍ଚ ପୂରଣ କରାଯାଇପାରିବ ।
ଏଥିସହ ଇରାନରେ ଚାଲିଥିବା ଯୁଦ୍ଧ ଯୋଗୁଁ ୟୁକେ, ୟୁରୋପ ଏବଂ ଉତ୍ତର ଆମେରିକାକୁ ବିମାନଗୁଡ଼ିକ ପୂର୍ବ ଅପେକ୍ଷା ଅଧିକ ଲମ୍ବା ରାସ୍ତା ନେବାକୁ ଚାହୁଁଛି । ଯାହା ଉଡାଣର ସମୟ ଏବଂ ଇନ୍ଧନ ବ୍ୟବହାରକୁ ବଢାଇଦେଇଛି । ଏହି ମହଙ୍ଗା ଟିକେଟ୍ ଯାତ୍ରୀଙ୍କୁ ପ୍ରଭାବିତ କରିପାରେ । କାହିଁକିନା ସମସ୍ତେ ଅଧିକ ଭଡ଼ା ଦେବାକୁ କେହି ଚାହାଁନ୍ତି ନାହିଁ ବୋଲି ସିଇଓ କହିଛନ୍ତି । ଏହା ବ୍ୟତୀତ ୟୁରୋପ ଏବଂ ଉତ୍ତର ଆମେରିକା ଭଳି ଅଞ୍ଚଳରେ କିଛି ନୂତନ ଚାହିଦା ଦେଖିବାକୁ ମିଳୁଛି । ଯେଉଁଠାରେ ଏୟାର ଇଣ୍ଡିଆ ଏହାର ବିମାନ ଉଡାଣ ବୃଦ୍ଧି କରୁଛି। ଏହି ସମୟରେ ଅଧିକ ମୂଲ୍ୟ ହେତୁ କିଛି ଅନ୍ୟ ଏୟାରଲାଇନ୍ସ ସେମାନଙ୍କର ସେବା ହ୍ରାସ କରୁଛନ୍ତି ।
ଅନ୍ୟପଟେ ଏୟାର ଇଣ୍ଡିଆର ସିଇଓ କର୍ମଚାରୀମାନଙ୍କୁ ଏହି ସମୟରେ ସୁରକ୍ଷାକୁ ୟଧିକ ମହତ୍ତ୍ବ ଦେବାକୁ, ଅନାବଶ୍ୟକ ଖର୍ଚ୍ଚକୁ କମ କରିବା ଏବଂ ପରସ୍ପରକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସେ ଏହି ଖାସ୍ ସମୟରେ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି । ଯେଉଁମାନେ ପ୍ରଭାବିତ ସ୍ଥାନରେ କାମ କରିଥିଲେ ଏବଂ ବଦଳିଥିବା ସ୍ଥିତିକୁ ସମ୍ଭାଳିଥିଲେ । ସେ ସ୍ୱୀକାର କରିଥିଲେ ଯେ ଏୟାର ଇଣ୍ଡିଆର ବିମାନ ଏବଂ ସମୟସୂଚୀ ନିରନ୍ତର ପରିବର୍ତ୍ତନ ହେଉଛି । କିନ୍ତୁ କର୍ମଚାରୀଙ୍କ ସହଯୋଗରେ କମ୍ପାନୀ ଏହି କଷ୍ଟକର ସମୟକୁ ମୁକାବିଲା କରିବାକୁ ଚେଷ୍ଟା କରୁଛି ।

