Ratnabhanda3

ପୁରୀ  : ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ ।  ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।  ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ ।  ଫଳରେ ଏଥିରେ ରହିବ ସ୍ୱଚ୍ଛତା ।  ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରର ବହୁ ପ୍ରତିକ୍ଷିତ ଗଣନା ଓ ଯାଞ୍ଚ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି ।  ପର୍ଯ୍ୟାୟକ୍ରମେ ଗଣତି ମଣତି ହେବ । ପ୍ରଥମେ ବାହାର ଭଣ୍ଡାରରେ ଥିବା ଚଳନ୍ତି ଅଳଙ୍କାର ଗଣତି ହେବ ।

ପରେ ଭିତର ଭଣ୍ଡାରର ଅଳଙ୍କାର ଗଣତି କରାଯିବ । ଶ୍ରୀମନ୍ଦିରର ଯେଉଁଭଳି ଭାବେ ନୀତିକାନ୍ତି ପ୍ରଭାବିତ ହେବନି, ସେନେଇ ଗୁରୁତ୍ବ ଦିଆଯାଇଛି  ।  ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବ୍ୟାଘାତ ସୃଷ୍ଟି କରାଯିବ ନାହିଁ ।  ପର୍ବପର୍ବାଣି କିମ୍ବା ଭିଡ଼ ସମୟରେ ଗଣତି କାର୍ଯ୍ୟ ବନ୍ଦ ରହିବ । ଗଣତି ମଣତି ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।  ଜିଲ୍ଲାପାଳଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହିବ ।

ଗଣତି ସମୟରେ କେବଳ ଅନୁମୋଦିତ ବ୍ୟକ୍ତି ହିଁ ଭିତରକୁ ଯାଇପାରିବେ ।  ସାଧାରଣ ଶ୍ରଦ୍ଧାଳୁ ବ୍ୟାରିକେଡ୍ ବାହାରେ ରହିବେ । ୧୯୭୮ ମସିହା ତାଲିକା ସହ ସମସ୍ତ ଅଳଙ୍କାର ମେଳ କରାଯିବ । ବର୍ତ୍ତମାନ କେବଳ ଗଣତି ଓ ଯାଞ୍ଚ କରାଯିବ । ଅଳଙ୍କାରର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ନାହିଁ ।  ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମିଳିତ ଭାବେ ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ।

Share