Lightning

ପାତ୍ରପୁର : କାଳବୈଶାଖୀର ପ୍ରଭାବରେ ବିଦ୍ୟାଳୟ ପାଖ ଗଛରେ ପଡିଲା ବଜ୍ରପାତ। ଅଳ୍ପକେ ବର୍ତ୍ତୀଲେ ୪୫ଜଣ ଛାତ୍ରଛାତ୍ରୀ। ଆଜି ଅପରାହ୍ନରେ କାଳବୈଶାଖୀ ସହ ଭୟଙ୍କର ବଜ୍ରପାତ ଘଟିଥିଲା। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ୪୫ଜଣ ଛାତ୍ରଛାତ୍ରୀ ବଡ ଅଘଟଣରୁ ବର୍ତ୍ତୀ ଯାଇଛନ୍ତି। ବିଦ୍ୟାଳୟ ଗୃହ ପାର୍ଶ୍ୱରେ ଥିବା ଶିରିସି ଗଛ ଉପରେ ବଜ୍ରପାତ ପଡ଼ିଥିଲା। ଫଳରେ ଗଛର ଡାଳ ଫାଟିଯାଇ ତତକ୍ଷଣାତ୍ ନିଆଁ ଲାଗିଥିଲା।

ପରବର୍ତ୍ତୀ ମୁହୂର୍ତ୍ତରେ ବର୍ଷା ଯୋଗୁଁ ନିଆଁ ଶିଘ୍ର ନିଭିଯାଇଥିଲା। ଏହି ସମୟରେ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଉପସ୍ଥିତ ଥିଲେ। ହଠାତ୍ ବଜ୍ରପାତର ଭୟଙ୍କର ଶବ୍ଦରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ନିକଟସ୍ଥ ବାସିନ୍ଦା କିଛି ସମୟ ପାଇଁ ଭୟଭୀତ ହୋଇପଡ଼ିଥିଲେ। ସୌଭାଗ୍ୟକ୍ରମେ କୌଣସି ପ୍ରାଣହାନି କିମ୍ବା ଆହତ ଘଟଣା ଘଟିନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକେ ଏପରି ପ୍ରାକୃତିକ ଘଟଣାରୁ ସୁରକ୍ଷା ପାଇଁ ବିଦ୍ୟାଳୟ ପରିସରରେ ବଜ୍ରନିରୋଧକ ବ୍ୟବସ୍ଥା କରାଯିବା ସହିତ ଜରୁରୀ ସଚେତନତା ଆବଶ୍ୟକ ବୋଲି କହିଛନ୍ତି।

Share