ମୟୁରଭଞ୍ଜ: ବାରିପଦାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ । ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଥିଲା । ରାତି ୧୦ଟା ବେଳକୁ ପ୍ରବଳ ବର୍ଷା ଓ ଘଡଘଡି ହୋଇଥିଲା । ଏହି ସମୟରେ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାମଦାଶ ହାଁସଦା । ସେ ବାରିପଦାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । ସେହିପରି ଖୁଣ୍ଟା ରାସ୍ତାର କଲେଜ ଛକ ନିକଟରେ ଗଛରେ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନଗେନ ମୁର୍ମୁ । ସେପଟେ ପ୍ରବଳ ବର୍ଷା ଯୋଗୁ ଭାଙ୍ଗିପଡିଥିଲା ବାଉଁଶ ତୋରଣ। ଷ୍ଟେସନ ବଜାର ରାସ୍ତାରେ ଯାତାୟତ ଠପ୍ ହୋଇଛି ।
ସେହିପରି, କେନ୍ଦୁଝରରେ ବି କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ପବନ ସାଙ୍ଗକୁ ବର୍ଷା, ଘଡ଼ଘଡ଼ି ଓ ବିଜୁଳି । ଫଳରେ କିଛି ସ୍ଥାନରେ ଲୋକଙ୍କ ଘରର ଛାତ ଉଡ଼ିଯାଇଥିଲା । ପୁରୁଣା ସହରରେ ଲାଗିଥିବା ବନଦୁର୍ଗା ପୂଜା ଟେଣ୍ଟ ଉଡ଼ିଯାଇଥିବା ବେଳେ ଏଠାରେ ମଧ୍ୟ ଗୋଟିଏ ଘରର ଛାତ ଉଡ଼ିଯାଇଛି । ପବନ ଯୋଗୁଁ କିଛି ସ୍ଥାନରେ ଗଛ ପଡି ବିଦ୍ୟୁତ୍ ସେବା ବ୍ୟାହତ ହୋଇଛି । କାଳବୈଶାଖୀ ପବନ ଓ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତଖୁଣ୍ଟି ଉପୁଡିପଡି ଥିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।

