ଭୁବନେଶ୍ୱର : ପାଞ୍ଚ ଦିନ କାଳବୈଶାଖୀ । ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ଆଜି ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକକୁ ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧ ତାରିଖରେ କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆଗାମୀ ପାଞ୍ଚ ଦିନ ବର୍ଷା ନେଇ ସତର୍କ କରାଇଛନ୍ତି ପାଣିପାଗ ବିଭାଗ । ବର୍ଷା ବିଜୁଳି ଘଡଘଡି ପବନ ସହିତ କୁଆପଥର ସମ୍ଭାବନା ରହିଛି ।
ଖରାଦିନେ ଦିନସାରା ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ, ଆଶ୍ୱସ୍ତି ଆଣିଥାଏ ଉପରବେଳାର ଥଣ୍ଡା ପବନ ଓ ବର୍ଷା । ତେବେ ଚିନ୍ତାର ବିଷୟ ହେଉଛି, ଏବେ ଆଶ୍ୱସ୍ତି ଦେବା ପରିବର୍ତ୍ତେ ଜୀବନ ନେଉଛି କାଳବୈଶାଖୀ । ଗତ ଦୁଇ ଦିନ ତଳେ ବାରିପଦାରେ କାଳବୈଶାଖୀ ତାଣ୍ଡବ କରିଥିଲା । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଜଣ ଆହତ ହୋଇଥିଲେ । ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବାମଦାଶ ହାଁସଦା । ସେହିପରି ଖୁଣ୍ଟା ରାସ୍ତାର କଲେଜ ଛକ ନିକଟରେ ଗଛ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ।

