ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି ରାଜନୈତିକ ଦଳ ଲୋୟର ପିଏମଜିରେ ବିଷ ଓଗାଳିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ଯାଇଛି । ୧୩ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନାହାଁନ୍ତି । ତେଣୁ ଏ ସରକାର ଲୋକଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ବିରୋଧୀ ମାନେ କହିଛନ୍ତି । ଆଜି ୧୦ଟି ବିରୋଧୀ ଦଳ ଏକାଠି ହୋଇ ମିଳିତଭାବେ ଗଣଧାରଣା ଦେଇଛନ୍ତି । ବିଜେପି ସରକାର ଜନବିରୋଧୀ ନୀତି ବନ୍ଦ ନକଲେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।
ରାଜ୍ୟର ପ୍ରମୁଖ ମେଡିକାଲ ଏସସିବିରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ । ପ୍ରତିଟି ଜୀବନ ମୂଲ୍ୟବାନ, ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ରୋଗୀମାନେ ଭାବିଥିଲେ । ହେଲେ ଏ ସରକାରଙ୍କ ଅପାରଗତା ପାଇଁ ଶବ ହୋଇ ରୋଗୀମାନେ ଘରକୁ ଫେରିଥିଲେ । ତେଣୁ ଏହି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ଘଟଣାରେ ଯିଏ ବି ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

