ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ବ୍ଲକ୍ ଅଫିସରେ ଧାରଣାରେ ବସିଲେ ବିଧାୟକ

Fshfhssfhfsh 2026 07 19 00 50

ଯାଜପୁର : ବିଡିଓଙ୍କ ଅସହଯୋଗ ଅଭିଯୋଗ  କରି  ଧାରଣାରେ ବସିଲେ ବରି ବିଧାୟକ ବିଶ୍ୱରଂଜନ ମଲିକ । ଯାଜପୁର ଜିଲ୍ଲା ବରି ପଞ୍ଚାୟତ ସମିତିରେ ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ବିଶ୍ୱ ରଂଜନ ମଲିକ ଅସନ୍ତୁଷ୍ଟ ହୋଇ ବିଡିଓଙ୍କ ଅଫିସ ପ୍ରବେଶ ଦ୍ବାରରେ ଧାରଣା ଦେଇଥିଲେ। ବରି ବିଧାୟକ ଆଜି ବ୍ଲକରେ ସମୀକ୍ଷା ବୈଠକ କରିବା ନେଇ ଯଥେଷ୍ଟ ପୂର୍ବରୁ ବିଡିଓଙ୍କୁ ସୂଚନା ଦେବା ସହ ନିର୍ଦ୍ଧାରିତ ସମୟରେ ବ୍ଲକରେ ପହଞ୍ଚିଥିଲେ।

କିନ୍ତୁ ବିଡିଓ ସମୀକ୍ଷା ବୈଠକ ପାଇଁ ଅସହଯୋଗ କରଥିଲେ। ଖୋଦ ବିଡିଓ ଅଫିସ ଭିତରେ ଥିବାବେଳେ ପ୍ରବେଶ ପଥରେ ଚେୟାର ପକାଇ ବସିରହିଥିଲେ ବିଧାୟକ। ଏକ ଘଣ୍ଟାରୁ ଅଧିକ ସମୟ ଧରି ବିଧାୟକ ଧାରଣାରେ ବସିବା ପରେ ବିଧାୟକଙ୍କ ସମର୍ଥକମାନଙ୍କର ଭିଡ଼ ଜମିଥିଲା। ଯାହାକୁ ଦେଖି ବିଡିଓ ବିଧାୟକଙ୍କ ନିକଟରେ ନିଜର ତ୍ରୁଟି ସ୍ବୀକାର କରିବା ସହିତ ତୁରନ୍ତ ସମୀକ୍ଷା ବୈଠକର ଆୟୋଜନ କରିଥିଲେ।

ବୈଠକରେ ବ୍ଲକର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟିର କାରଣ ଖୋଜିଥିଲେ ବିଧାୟକ। ରାଜ୍ୟରେ ବିଜେପି ସରକାର ଚାଲିଥିବା ବେଳେ ବରୀ ବିଧାୟକ ବିଶ୍ୱ ମଲିକ ହେଉଛନ୍ତି ବିଜେଡିର। ଯେଉଁଥିପାଇଁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ ଅସହଯୋଗ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବରି ବିଧାୟକ ବିଶ୍ବରଂଜନ ମଲ୍ଲିକ। ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରି ବିଡିଓ ।

Share