୪ ବର୍ଷ ପରେ ସଚିନ ୱାଜେଙ୍କୁ ଜାମିନ, ମୁମ୍ବାଇ ସମେତ ୫ ଜିଲ୍ଲାକୁ ଏଣ୍ଟ୍ରି ମନା

Sachin vaze

ମୁମ୍ବାଇ : ଏଣ୍ଟିଲିଆ ବିସ୍ଫୋରକ ମାମଲା ଏବଂ ବ୍ୟବସାୟୀ ମନସୁଖ ହିରେନ ହତ୍ୟାକାଣ୍ଡରେ ପୂର୍ବତନ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ୪ ବର୍ଷ ପରେ ଜାମିନ ମିଳିଛି । ୨୦୨୧ରେ ଗିରଫ ହୋଇଥିଲେ ୱାଜେ । କିନ୍ତୁ ଏବେ ୱାଜେଙ୍କୁ ଜାମିନ ମିଳିଥିବା ସତ୍ତ୍ବେ ଜେଲରେ ରହିବ । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଏବେ ଜେଲରେ ରହିବେ । ୨୦୨୬ ଅଗଷ୍ଟରେ ବିଶେଷ NIA ଅଦାଲତ ଏହି ମାମଲାରେ ୱାଝେଙ୍କ ସମେତ ୧୦ ଜଣଙ୍କ ବିରୋଧରେ ଅଭିଯୋଗ ଗଠନ କରିଛନ୍ତି ।

ଖବର ମୁତାବକ, ୱାଜେଙ୍କୁ ୧ ଲକ୍ଷ ଟଙ୍କା ପର୍ସନାଲ ବଣ୍ଡ ଏବଂ ୧ ଲକ୍ଷ ଟଙ୍କାରେ ଜାମିନ ମିଳିଛି । ଏହାସହିତ ତାଙ୍କ ପାଖରେ ଯେଉଁ ପାସପୋର୍ଟ ଅଛି, ତାହାକୁ ସେ NIA ପାଖରେ ଜମା କରନ୍ତୁ ବୋଲି କୋର୍ଟ କହିଛନ୍ତି । ୱାଜେଙ୍କୁ ମୁମ୍ବାଇ ସମେତ ୫ ଜିଲ୍ଲାରେ ପ୍ରବେଶ ପାଇଁ ମନା କରାଯାଇଛି । ମୁମ୍ବାଇ, ନଭି ମୁମ୍ବାଇ, ରାୟଗଢ, ଥାନେ ଏବଂ ପାଲଘର ଜିଲ୍ଲାରେ ପ୍ରବେଶ ପାଇଁ ଅନୁମତି ନାହିଁ । କେବଳ ଏସବୁ ଜିଲ୍ଲାକୁ କୋର୍ଟ କାମରେ ଯିବାକୁ ଅନୁମତି ମିଳିଛି । ୭ ଦିନ ଭିତରେ ନିଜ ରହିବା ସ୍ଥାନ ବିଷୟରେ NIAକୁ ଜଣାଇବାକୁ କୁହାଯାଇଛି । ପ୍ରତି ରବିବାର ଅପରାହ୍ନ ୧୨ରୁ ୩ଟା ଭିତରେ ସ୍ଥାନୀୟ ପୋଲିସ ଷ୍ଟେସନରେ ହାଜିର ହେବାକୁ କୁହାଯାଇଛି ।

୨୦୨୧ ଫେବ୍ରୁଆରୀ ୨୫ ତାରିଖରେ ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଏଣ୍ଟିଲିଆ ନିକଟରୁ ଏକ SUV ଜବତ ହୋଇଥିଲା । ଗାଡ଼ି ଭିତରୁ ଜେଲାଟିନ୍ ଷ୍ଟିକ୍ ଏବଂ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଏହି ଗାଡ଼ିର ମାଲିକ ଥିଲେ ମନସୁଖ ହିରେନ । ମାର୍ଚ୍ଚ ୫, ୨୦୨୧ରେ ଥାନେର ଘାଟିରୁ ଏକ ହିରେନଙ୍କ ମୃତଦେହ ମିଳିଥିଲା । ଏହା ପରେ ଏଣ୍ଟିଲିଆ ବିସ୍ଫୋରକ ମାମଲା ସହ ମନସୁଖ ହିରେନ ମୃତ୍ୟୁ ମାମଲାର ତଦନ୍ତ ଜାତୀୟ ତଦନ୍ତ ଏଜେନ୍ସି (NIA) ହାତକୁ ଯାଇଥିଲା । NIA ୱାଜେଙ୍କୁ ମାର୍ଚ୍ଚ ୨୦୨୧ରେ ଗିରଫ କରିଥିଲା ।

ଜୁଲାଇ ୨୦୨୬ରେ ବିଶେଷ NIA ଅଦାଲତ ୱାଜେଙ୍କୁ ମାମଲାରୁ ଡିସଚାର୍ଜ କରିବା ପାଇଁ ଦାଖଲ ଆବେଦନକୁ ଖାରଜ କରିଥିଲେ । ପରେ ଅଗଷ୍ଟ ୨୦୨୬ରେ ସଚିନ ୱାଜେ, ପ୍ରଦୀପ ଶର୍ମା, ସୁନୀଲ ମାନେଙ୍କ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିବା ସହ UAPA ଏବଂ ଅନ୍ୟାନ୍ୟ ଆଇନ ଅଧୀନରେ ଅଭିଯୋଗ ଗଠନ କରାଯାଇଥିଲା । ସମସ୍ତ ଅଭିଯୁକ୍ତ ଦୋଷ ସ୍ୱୀକାର କରିନଥିଲେ ଏବଂ ମାମଲାର ସାମ୍ନା କରିବାକୁ କହିଥିଲେ ।

Share