ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ଓଜେସିର ବିକ୍ଷୋଭ

IMG 20260723 WA0001 750x430

ଭୁବନେଶ୍ୱର: ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ବିଭିନ୍ନ ପରୀକ୍ଷାରେ ବାରମ୍ବାର ଘଟୁଥିବା ସାଂଘାତିକ ତ୍ରୁଟି ବିରୁଦ୍ଧରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ। ଆନ୍ଦୋଳନରତ ଛାତ୍ରମାନଙ୍କ ଉପରେ ପୋଲିସର ଅମାନବୀୟ ଦମନଲୀଳା ପ୍ରତିବାଦରେ ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଦଳର ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଶତାଧିକ ଯୁବକ ଓ ମହିଳାମାନେ ଏକାଠି ହୋଇ ସରକାରଙ୍କର ଏହି ଦମନଲୀଳାର ପ୍ରତିବାଦ କରିଥିଲେ। ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଲାଠି ଚାର୍ଜ କରିବା, ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସରକାରଙ୍କର ଯୁବପିଢି ପ୍ରତି ଥିବା ଭୟକୁ ପ୍ରତିପାଦିତ କରୁଛି। ଯୁବପିଢିଙ୍କୁ ରୋଜଗାରକ୍ଷମ କରିବାରେ ବିଫଳ ସରକାର ସେମାନଙ୍କର ନାର୍ଯ୍ୟ ଦାବି ପାଇଁ ଉଠୁଥିବା ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଭାପତି କହିଛନ୍ତି। ଜେନ୍-ଜି ଓ ଯୁବପିଢିଙ୍କ ଦଳ ଉପରେ ଅତ୍ୟାଚାର ହେଲେ କଦାଚିତ ବରଦାସ୍ତ କରାଯିବ ନାହିଁ ଓ ଓଜେସି ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ସେ ପ୍ରକାଶ କରିଥିଲେ। ଦଳମତ ନିର୍ବିଶେଷରେ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ତଥା ଭାରତବର୍ଷ ଗଢ଼ିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ବଦ୍ରିନାରାୟଣ ମହାନ୍ତି, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ରାକେଶ ବେହେରା, ଅନିତା ରାଉତ, ଚାରୁଲତା ସାହୁ, ପ୍ରଭାତୀ ପଟ୍ଟନାୟକ, ପ୍ରଗତି ରଥ, ସତ୍ୟବ୍ରତ ଦେ, ଭି. ଶୁଭମ୍ ରାଜୁ, ହରବିନ୍ଦର ସିଂ, ମହମ୍ମଦ ସଲାଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।

Share