ପିଏବିର ଅନୁମୋଦନ ଅନୁଯାୟୀ, ୭୧ଟି ବିଦ୍ୟାଳୟ ମଧ୍ୟରୁ ୬୦ଟିରେ କଳା ବିଭାଗ ଏବଂ ୧୧ଟିରେ ବିଜ୍ଞାନ ବିଭାଗ ଖୋଲାଯିବ। କଳା ବିଭାଗ ପାଇଁ ପ୍ରତି ବିଦ୍ୟାଳୟରେ ୧.୮୬ କୋଟି ଟଙ୍କା ଏବଂ ବିଜ୍ଞାନ ବିଭାଗ ପାଇଁ ୨.୬୨ କୋଟି ଟଙ୍କା ବ୍ୟୟ ଧାର୍ଯ୍ୟ କରାଯାଇଛି। ଏହି ଅର୍ଥରେ ନୂଅ ଶ୍ରେଣୀଗୃହ, ପରୀକ୍ଷାଗାର, ଶିକ୍ଷାଦାନ ଭିତ୍ତିଭୂମି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୃଷ୍ଟି କରାଯିବ।
ଜିଲ୍ଲାଭିତ୍ତିକ ତାଲିକାକୁ ଦେଖିଲେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨ଟି ବିଦ୍ୟାଳୟ ଉନ୍ନୀତ ହେବାକୁ ଯାଉଛି। ଏହା ପରେ ମାଲକାନଗିରିର ୬ଟି, ନବରଙ୍ଗପୁରର ୫ଟି, ବାଲେଶ୍ୱର ଓ ବଲାଙ୍ଗୀରର ୫ଟି ଲେଖାଏଁ ବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଛି। ଏହାବ୍ୟତୀତ ଅନୁଗୁଳ, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କଳାହାଣ୍ଡି, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ୨୦ଟି ଜିଲ୍ଲାର ବିଦ୍ୟାଳୟ ଏହି ଯୋଜନାର ସୁବିଧା ପାଇବେ।
ପିଏବିର କାର୍ଯ୍ୟବିବରଣୀରେ ଉଲ୍ଲେଖ ରହିଛି ଯେ, ପ୍ରଥମେ ରାଜ୍ୟ ସରକାର ୭୫ଟି ବିଦ୍ୟାଳୟର ପ୍ରସ୍ତାବ ଦେଇଥିଲେ। ଯାଞ୍ଚ ପରେ ୭୧ଟି ବିଦ୍ୟାଳୟକୁ ଅନୁମୋଦନ ମିଳିଥିବା ବେଳେ ଅବଶିଷ୍ଟ କିଛି ପ୍ରସ୍ତାବ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିନଥିବାରୁ ଗ୍ରହଣ କରାଯାଇନାହିଁ। ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହେଲେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥ ଅଞ୍ଚଳକୁ ଯିବାର ଆବଶ୍ୟକତା ଅନେକାଂଶରେ କମିବ ଏବଂ ଗ୍ରାମାଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷାର ସୁଯୋଗ ଆହୁରି ବ୍ୟାପକ ହେବ।

