ବାଲେଶ୍ଵର: ଶ୍ରାବଣ ସୋମବାରରେ ଅଘଟଣ । ପରିବାର ଲୋକଙ୍କ ଆଗରେ ବୁଡିଗଲେ ନାବାଳିକା । ବାଲେଶ୍ଵର ଚାନ୍ଦିପୁର ଥାନା ଅନ୍ତର୍ଗତ ବଡକିଆ ପାଗ ନାଳରୁ ପାଣି ନେଇ ଝଡେଶ୍ୱର ମନ୍ଦିରକୁ ଜଳାଭିଷେକ ପାଇଁ ଆସୁଥିଲେ ନାବାଳିକା । ପରିବାର ଲୋକଙ୍କ ସହ ଜଳାଭିଷେକ ପାଇଁ ନାଳରେ ବୁଡ଼ ମାରି ପାଣି ଭାର ଉଠାଇବାବେଳେ ଆଉ ଉପରକୁ ଉଠିନଥିଲେ । ବହୁ ଖୋଜା ଖୋଜି ପରେ ପରିବାର ଲୋକେ ପାଇନଥିଲେ। ଶେଷରେ ଅଗ୍ନିଶମ ବାହିନୀ ନାବାଳିକଙ୍କୁ ପାଣିରୁ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳିକାଙ୍କ ଘର ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ବୋଲି ଜଣାପଡିଛି ।
ସେପଟେ ଲଘୁଚାପ ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ଏପରିକି ହୀରାକୁଦର ଏକାଧିକ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ଫଳରେ ଜିଲ୍ଲାର ଅନେକ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଅବିରତ ବର୍ଷା ହେବାରୁ ରାସ୍ତାଘାଟରେ ପାଣି ଜମିଛି । କେତେକ ସ୍ଥାନରେ ଯାତାୟାତ ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳର କଚ୍ଚା ରାସ୍ତା କାଦୁଅ ହୋଇଯାଇଛି ।

