ତତ୍କାଳୀନ ସଂଗ୍ରାମ କେଶରୀ ବେହେରାଙ୍କ ଆତ୍ମସମର୍ପଣ ପରେ ମାମଲାର ଆଇନଗତ ପ୍ରକ୍ରିୟା ନୂଆ ପର୍ଯ୍ୟାୟକୁ ଯାଇଛି। ଏବେ କୋର୍ଟରେ ଆଗାମୀ ଶୁଣାଣି ଓ ବିଚାର ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସୋମବାର ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ବହୁଚର୍ଚ୍ଚିତ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ସୂଚନାଯୋଗ୍ୟ, ୨୦୨୧ ମସିହା ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ACF ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ କ୍ୱାର୍ଟର୍ସରେ ଅଗ୍ନିଦଗ୍ଧ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ସନ୍ଦେହଜନକ ଦର୍ଶାଇ ପରିବାର ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଥିଲା। ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ ଅଭିଯୋଗ ଆଣାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ରହିଛି।

