ଇଣ୍ଡିଗୋ ବିମାନ କାର୍ଗୋରେ ଧୂଆଁ, ରାଜକୋଟ ଏୟାରପୋର୍ଟରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ

Indigo flight

ନୂଆଦିଲ୍ଲୀ : ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମଜେନ୍ସି ଲ୍ୟାଣ୍ଡଂ କଲା ଇଣ୍ଡିଗୋ ବିମାନ । ବିମାନର କାର୍ଗୋ ହୋଲ୍ଡରୁ ଧୂଆଁ ବାହାରିବାରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ସୂଚନା ମିଳୁଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ଉଦ୍ଧାର କରାଯିବା ସହ ଧୂଆଁ ଲାଗିଥିବାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ଆଜି ବିମାନ ବିମାନଟି ଦୁବାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା । Airbus A321 ବିମାନ, ଫ୍ଲାଇଟ୍ ନମ୍ବର IGO1452  ୧୯୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ରାସ୍ତାରେ ବିମାନର କାର୍ଗୋ ହୋଲ୍ଡରେ ଧୂଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ଅଧିକାରୀମାନେ ଅପରାହ୍ନ ୨ଟା ୪୫ ମିନିଟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଅପରାହ୍ନ ୩ଟା ୨୭ ମିନିଟରେ ରାଜକୋଟର ହୀରାସର ବିମାନବନ୍ଦରରେ ସୁରକ୍ଷିତ ଭାବରେ ବିମାନଟି ଅବତରଣ କରିଥିଲା । ଏବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ଅନ୍ୟପଟେ ଅବତରଣ ପରେ ଏକ ବୈଷୟିକ ଦଳ ବିମାନର ଯାଞ୍ଚ ଆରମ୍ଭ କରିଛନ୍ତି । କାର୍ଗୋ ହୋଲ୍ଡରେ ଧୂଆଁର କାରଣ ନିର୍ଣ୍ଣୟ କରିବା ପାଇଁ ବର୍ତ୍ତମାନ ପ୍ରୟାସ ଚାଲିଛି । ଅଗ୍ନିକାଣ୍ଡର ସମ୍ଭାବନା ଥିବାରୁ, ବିମାନବନ୍ଦରରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଦଳକୁ ମଧ୍ୟ ମୁତୟନ କରାଯାଇଥିଲା ।

Share