ରାଜ୍ୟରେ ବନ୍ୟା ଯୋଗୁଁ ୬ ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ, ୪ ମୃତ

FLOOD

ଭୁବନେଶ୍ୱର : ଆଜି ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁଁ ୬ଟି ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ ହୋଇଛି । ଏଥିରେ ପ୍ରଭାବିତ ହୋଇଛନ୍ତି ୭୪୮ଟି ଗାଁର ୨ ଲକ୍ଷରୁ ଅଧିକ ଜଣ । ବନ୍ୟାରେ ଆଜି ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨୭ହଜାରରୁ ଅଧିକ ଘର ଭାଙ୍ଗିଛି । ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲ୍ଲା। ଜିଲ୍ଲାର ୧ ଲକ୍ଷ ୯ ହଜାର ,୪୨୯ ଜନସଂଖ୍ୟା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ମୋଟ ୧୬ ହଜାର ୯୮୭ଟି ଘର କ୍ଷତିଗ୍ରସ୍ତ ହୋଇଛି । ସେହିପରି ଭଦ୍ରକ ଜିଲ୍ଲାରେ ୮୦ ହଜାର ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ୧୧ ହଜାର ୧୫୬ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି । ​ମୟୂରଭଞ୍ଜ, ​ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାଗୁଡ଼ିକରେ ମଧ୍ୟ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ।

ସେପଟେ ଉପରମୁଣ୍ଡରେ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୩୯ ଫୁଟରେ ପହଞ୍ଚିଥିବା ବେଳେ ଆଗାମୀ ସମୟରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଲଗାତାର ବର୍ଷା ଯୋଗୁଁ ମହାନଦୀ ଓ ଏହାର ଉପନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଡ୍ୟାମକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି ।

Share