ଚଳିତ ବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୦୮ ମିନିଟରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୮ ମିନିଟ୍ ପର୍ଯ୍ୟନ୍ତ ରହିବ। ପ୍ରାୟତଃ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରା କାଳର ଛାୟା ପଡ଼ିଥାଏ, ଯାହାକି ଅଶୁଭ ବୋଲି ବିବେଚନା କରାଯାଏ। ମାତ୍ର ଚଳିତ ବର୍ଷ ଭଦ୍ରା କାଳ ଅଗଷ୍ଟ ୨୭ ତାରିଖ ରାତି ୯ଟା ୩୨ ମିନିଟରେ ଶେଷ ହୋଇଯାଉଛି। ଫଳରେ ଅଗଷ୍ଟ ୨୮ ତାରିଖ ସକାଳେ ରାକ୍ଷୀ ବାନ୍ଧିବା ପାଇଁ ଏକ ନିର୍ଦ୍ଦୋଷ ଏବଂ ପବିତ୍ର ସମୟ ମିଳିବ। ତେଣୁ ଅଗଷ୍ଟ ୨୮ ତାରିଖ ସକାଳ ୫ଟା ୫୮ ମିନିଟରୁ ନେଇ ସକାଳ ୯ଟା ୪୮ ମିନିଟ୍ ମଧ୍ୟରେ ରାକ୍ଷୀ ବାନ୍ଧିବା ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ରହିଛି। ଏହି ସମୟରେ ଭଉଣୀମାନେ ନିଜ ଭାଇମାନଙ୍କ ମଥାରେ ତିଳକ ଲଗାଇ, ରାକ୍ଷୀ ବାନ୍ଧି ମିଠା ଖୁଆଇ ପାରିବେ ।
ଗ୍ରହଣର ସୂତକ ନଥିବାରୁ ରୋଷେଇ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଭଉଣୀମାନେ ନିଜ ସୁବିଧା ଅନୁସାରେ ରାକ୍ଷୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ କିମ୍ବା ସେହି ଦିନ ସକାଳେ ନୂଆ ପକ୍ୱାନ ପ୍ରସ୍ତୁତ କରିପାରିବେ । ଏହି ଆଂଶିକ ଚନ୍ଦ୍ରଗ୍ରହଣ କେବଳ ୟୁରୋପ, ଆଫ୍ରିକା ଏବଂ ଆମେରିକାର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ତେଣୁ ଭାରତୀୟମାନେ ବିନା କୌଣସି ଆଶଙ୍କାରେ ଏହି ପର୍ବକୁ ସମ୍ପୂର୍ଣ୍ଣ ଉତ୍ସାହର ସହ ପାଳନ କରିପାରିବେ ।
