ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ। ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା l ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ମୃତ ମହିଳା ହେଲେ ହୀନା ବେଗମ । ସମ୍ବଲପୁର ସେନ ପାର୍କ ବାଉଣ୍ଡ୍ରି କଡରେ ମହିଳାଙ୍କ ମୃତଦେହ ପଡିଛି । ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତ ମହିଳାଙ୍କ ସ୍ୱାମୀ ଏମ ଡି ସାମସଦଙ୍କୁ ପୋଲିସ ଅଟକ ରଖି ଅଧିକ ପଚରା ଉଚରା କରୁଛି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ । ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରାଯାଉଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳହରୁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ । ତେବେ ଏହା ପଛରେ ପ୍ରକୃତ କାରଣ କଣ ଏବଂ ହତ୍ୟାକାଣ୍ଡ କିପରି ଘଟିଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।
