ବୈଧ PUCC ଓ ବୀମା ନଥିଲେ ଘରକୁ ଯିବ e-Challan, ଦସ୍ତାବିଜ ଯାଞ୍ଚ ପାଇଁ e-Detection ବ୍ୟବସ୍ଥା

Chennai e challan feature 747x420

ଭୁବନେଶ୍ୱର : ବୈଧ PUCC ଓ ବୀମା ନଥିଲେ ଧରିବ e-Detection, ଘରକୁ ଯିବ e-Challan । ବକେୟା ଚାଲାଣ ନଦେଲେ ବନ୍ଦ ହୋଇପାରେ PUC ପରୀକ୍ଷା । ସେପ୍ଟେମ୍ବର ୧ରୁ ବ୍ୟବସ୍ଥା କାର୍ଯ୍ୟକାରୀ । ଏଣିକି ରାସ୍ତାରେ ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଫାଙ୍କି ଦେଲେ ମଧ୍ୟ ନିୟମ ଉଲ୍ଲଂଘନକାରୀ ଗାଡ଼ି ଆଉ ସହଜରେ ବର୍ତ୍ତିପାରିବ ନାହିଁ। ଗାଡ଼ିର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ଏବଂ ବୀମା ନଥିଲେ ତାହାକୁ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାରେ ଚିହ୍ନଟ କରାଯିବ।

ଏହାପରେ ସମ୍ପୃକ୍ତ ଗାଡ଼ି ନାମରେ e-Challan ଜାରି ହେବ। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଜାରି ସର୍ବସାଧାରଣ ସୂଚନା ଅନୁସାରେ, ମୋଟରଯାନ ଆଇନ ଓ କେନ୍ଦ୍ରୀୟ ମୋଟରଯାନ ନିୟମ ଅନୁଯାୟୀ ସର୍ବସାଧାରଣ ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ଗାଡ଼ିର PUCC ଏବଂ ବୀମା ବୈଧ ରହିବା ବାଧ୍ୟତାମୂଳକ। ଏହି ଦୁଇଟି ଦସ୍ତାବିଜର ବୈଧତା ଯାଞ୍ଚ ପାଇଁ e-Detection ବ୍ୟବସ୍ଥା ବ୍ୟବହାର କରାଯିବ।

e-Detection ମାଧ୍ୟମରେ କୌଣସି ଗାଡ଼ିର PUCC କିମ୍ବା ବୀମା ବୈଧ ନଥିବା ଜଣାପଡ଼ିଲେ, ନିର୍ଦ୍ଧାରିତ ଇଲେକ୍ଟ୍ରୋନିକ୍ ପ୍ରବର୍ତ୍ତନ ପ୍ରକ୍ରିୟାରେ ଚାଲାଣ କଟାଯିବ। ତେଣୁ ରାସ୍ତାକୁ ଗାଡ଼ି ବାହାର କରିବା ପୂର୍ବରୁ ଏସବୁ ଦସ୍ତାବିଜର ବୈଧତା ଯାଞ୍ଚ କରିବା ସହ ଆବଶ୍ୟକସ୍ଥଳେ ତୁରନ୍ତ ନବୀକରଣ କରିବାକୁ ଯାନମାଲିକଙ୍କୁ ପରାମର୍ଶ ଦିଆଯାଇଛି। ଏହାସହ ବକେୟା e-Challanକୁ ନେଇ ମଧ୍ୟ ପରିବହନ ବିଭାଗ କଠୋର ହୋଇଛି। ନିର୍ଦ୍ଧାରିତ ଆଇନଗତ ସମୟସୀମା ପରେ ମଧ୍ୟ ଚାଲାଣ ବକେୟା ରହିଲେ ସମ୍ପୃକ୍ତ ଗାଡ଼ିକୁ ସରକାରୀ ପୋର୍ଟାଲରେ ‘Not to be Transacted’ ଭାବେ ଚିହ୍ନିତ କରାଯାଇପାରିବ।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଅନୁଯାୟୀ, PUC ପରୀକ୍ଷାକୁ ମଧ୍ୟ ଏକ ‘Transaction’ ବା ସେବାଗତ କାରବାର ଭାବେ ବିବେଚନା କରାଯିବ। ଫଳରେ ବକେୟା ଚାଲାଣ ଥିବା ଗାଡ଼ିର PUC ପରୀକ୍ଷା ପ୍ରକ୍ରିୟା ଅଟକିପାରେ। VAHAN ଆଧାରିତ PUC ପରୀକ୍ଷା ଆପ୍ଲିକେସନ୍ ରେ ବକେୟା ଚାଲାଣ ଏବଂ ‘Not to be Transacted’ ସ୍ଥିତି ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ତେଣୁ ଯେଉଁ ଯାନମାଲିକଙ୍କର e-Challan ବକେୟା ରହିଛି, ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ତାହାର ସମାଧାନ କରିବାକୁ କୁହାଯାଇଛି।

ଟ୍ରାଫିକ୍ ଶୃଙ୍ଖଳା, ପ୍ରଦୂଷଣ ନିୟନ୍ତ୍ରଣ, ତୃତୀୟ ପକ୍ଷର ସୁରକ୍ଷା ଏବଂ ସଡ଼କ ସୁରକ୍ଷାକୁ ମଜଭୁତ କରିବା ପାଇଁ ଏହି ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ଲାଗୁ କରାଯାଇଥିବା ପରିବହନ ବିଭାଗ କହିଛି। ଗାଡ଼ି ମାଲିକମାନେ ଅଧିକୃତ ସରକାରୀ ପୋର୍ଟାଲରେ ନିଜ ଗାଡ଼ିର PUCC, ବୀମା ଏବଂ ବକେୟା e-Challanର ସ୍ଥିତି ଯାଞ୍ଚ କରିବାକୁ ବିଭାଗ ପରାମର୍ଶ ଦେଇଛି। ସୂଚନା ଅନୁଯାୟୀ, e-Detection ମାଧ୍ୟମରେ ଏହି ପ୍ରବର୍ତ୍ତନ ବ୍ୟବସ୍ଥା ୨୦୨୬ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଛି।

Share