ଫିଲିପାଇନ୍ସ : ଫିଲିପାଇନ୍ସର ପାଲାୱାନରେ ଭୟଙ୍କର ଅଗ୍ନିକାଣ୍ଡ । ସମୁଦ୍ର ମଝିରେ ଜଳିଗଲା ଡଙ୍ଗା । ନିଆଁରେ ଘେରିଯିବା ପରେ ଚାରିଆଡ଼େ ଖେଳିଗଲା ଆତଙ୍କ । ଏହି ଦୁର୍ଘଟଣାରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୮୭ ଜଣ ଏବେବି ନିଖୋଜ ଅଛନ୍ତି । ଫିଲିପାଇନ୍ସ କୋଷ୍ଟ ଗାର୍ଡ ମୁତାବକ, ନିଆଁ MV June Aster ନାମକ ଫେରିରେ ଲାଗିଥିଲା ।
ଖବର ମୁତାବକ, ବୁଧବାର ସନ୍ଧ୍ୟାରେ ପାଲାୱାନ୍ ଉପକୂଳରୁ ପ୍ରାୟ ୨.୨ କିଲୋମିଟର ଦୂରରେ ଛୋଟ ଡଙ୍ଗାରେ ହଠାତ୍ ଲାଗିଯାଇଥିଲା ନିଆଁ । ଚାହୁଁଚାହୁଁ କ୍ଷଣିକ ମଧ୍ୟରେ ଡଙ୍ଗାଟିକୁ ସମ୍ପୂର୍ଣ୍ଣ ନିଆଁରେ ପୋଡିଯାଇଥିଲା । ଦୁର୍ଘଟଣାର ଖବର ପାଇ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ସେଥିରେ ମୋଟ୍ ୧୩୪ ଜଣ ଯାତ୍ରୀ ଓ କର୍ମଚାରୀ ରହିଥିବା ବେଳେ ଏପର୍ଯ୍ୟନ୍ତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି । ସେପଟେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ତେବେ ଏଯାଏଁ ୮୭ ଜଣଙ୍କର ଏବେବି କୌଣସି ଖୋଜଖବର ମିଳିନାହିଁ । ଉଦ୍ଧାରକାରୀ ଦଳ ସମୁଦ୍ରରେ ଜୋରଦାର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ନିଖୋଜଙ୍କ ମଧ୍ୟରୁ କେତେଜଣ ଜୀବିତ ଅଛନ୍ତି, ତାହା ଏଯାଏଁ ଜଣାପଡିନାହିଁ । ଫିଲିପିନ କୋଷ୍ଟ ଗାର୍ଡ ତରଫରୁ ଜାରି ହୋଇଥିବା ଫୁଟେଜରେ ଡଙ୍ଗାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏହି ଡଙ୍ଗା ମନୀଲାର ବେସକୋରୁ ପାଲାୱାନା କୋରୋନ ଯାଉଥିଲା । ଏଥିରେ ମଝି ସମୁଦ୍ରରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ରେସକ୍ୟୁ ଟିମ୍ ନିଆଁ ଲାଗିବାର କାରଣ ଖୋଜୁଛି । ପାଲାୱାନ୍ ଏଲ୍ ନିଡୋ ଏବଂ ପୁଏର୍ଟୋ ପ୍ରିନ୍ସେସା ସବ୍ଟେରେନିଆନ୍ ରିଭର୍ ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାଇଁ ଏହି ଅଞ୍ଚଳ ବେଶ୍ ଜଣାଶୁଣା ।
