ବିହାର : ବିହାର ଲାଲଗଂଜରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜର ଲାଞ୍ଚର । ଲାଞ୍ଚର ଭୁଶୁଡିବା ଯୋଗୁଁ ୮ ଜଣ ଶ୍ରମିକ ଆହତ ହୋଇଛନ୍ତି । ଘଟଣାରେ ୨ ଜଣକ ଅବସ୍ଥା ଗୁରୁତର ରହିଛି । ଅଘଟଣ ପରେ ଘଟଣା ସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା । ଏହାପରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏମାନଙ୍କ ଚିକିତ୍ସା ଜାରି ରହିଛି ।
ଖବର ମୁତାବକ, ବୈଶାଳୀ ଲାଲଗଂଜରେ ଭାରତମାଳା ପରିଯୋଜନା ଅଧିନରେ ଏନଏଚଏଆଇର ଏନଏଚ-୧୩୯ ଡବ୍ୟୁଲ ଫୋରଲେନରେ ବଡ଼ ଅଘଟଣ ଘଟିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ନିର୍ମାଣାଧୀନ ବ୍ରିଜର ଲାଞ୍ଚର ହଠାତ୍ ଭୁଶୁଡି ପଡିଥିଲା । ଏହି ଘଟଣାରେ ଅନେକ ଶ୍ରମିକ ଆହତ ହୋଇଥିଲେ । ଶ୍ରମିକମାନେ ଲୁହା ତଳେ ଚାପି ହୋଇ ପଡିଥିଲେ । ଏମାନଙ୍କୁ ମେସିନ ସହାୟତାରେ କାଟି ଉଦ୍ଧାର କରାଯାଇଛି ।
ଘଟଣା ପରେ ନିର୍ମାଣ ସ୍ଥଳରେ ଲୋକମାନେ ଦୌଡଧାପଡ କରିଥିଲେ । ତୁରନ୍ତ ଆହତଙ୍କୁ ଲାଲଗଂଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଆହତ ୬ କର୍ମଚାରୀଙ୍କ ଚିକିତ୍ସା ଚାଲିଛି । କିଛି ଆହତଙ୍କ ଗୁରୁତର ସ୍ଥିତି ଦେଖି ଅନ୍ୟ ହସପିଟାଲକୁ ରେଫର କରାଯାଇଛି । ପୋଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ନିର୍ମାଣ ସମୟରେ ସୁରକ୍ଷା ମାନକ ପାଳନ କରାଯାଇଥିଲା କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି ।
ତେବେ ଘଟଣା ସମୟରେ ଜଣେ ଯୁବକଙ୍କ ଗୋଡ଼ ଉପରେ ଲୁହା ଲାଞ୍ଚର ଖସିପଡିଥିଲା । ତେଣୁ ତୁରନ୍ତ ତାଙ୍କୁ ଉଦ୍ଧାର କରିବା ପାଇଁ ଲୁହା କାଟି ତାଙ୍କୁ ଉଦ୍ଧାର କରାଯାଇଥିଲା । ଆହତ ଯୁବକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
