ନୂଆଦିଲ୍ଲୀ : ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ । ହୃଦଘାତରେ ତାଙ୍କର ପରଲୋକ । ପ୍ରଖ୍ୟାତ ଭାରତୀୟ ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ପରୋପକାରୀ ବ୍ୟକ୍ତି ଥିଲେ ନାନା ପାଟେକର । ୭୫ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି । ଗୋଆର ଦୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତ ଅବସ୍ଥାରେ ମିଳିଥିଲେ । ଡାକ୍ତରଖାନା ନେବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ନିଜର ଶକ୍ତିଶାଳୀ ଅଭିନେତ୍ରୀ ଶୈଳୀ ଓ ସଂଳାପ ପରିବେଷଣ ପାଇଁ ଜଣାଶୁଣା ନାନା ପାଟେକର ହିନ୍ଦୀ ଏବଂ ମରାଠୀ ସିନେମା ଜଗତରେ ଏକ ଅଭୁଲା ଛାପ ଛାଡି ଯାଇଛନ୍ତି । ୧୯୭୮ରେ ଗମନ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
୪ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର ମଧ୍ୟରେ ସେ ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ – ଏହି ତିନୋଟିଯାକ ବର୍ଗରେ ପୁରସ୍କାର ଜିତିବାରେ ସେ ଏକମାତ୍ର ଭାରତୀୟ ଅଭିନେତା । ୧୯୮୯ରେ ପରିନ୍ଦା ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। କ୍ରାନ୍ତିବୀର, ଏବଂ ଅଗ୍ନି ସାକ୍ଷୀ ଚଳଚ୍ଚିତ୍ରରେ ଦମଦାର ଅଭିନୟ ପାଇଁ ୩ ଥର ଜାତୀୟ ପୁରସ୍କାର ଲାଭ କରିଥିଲେ । ତାଙ୍କର କିଛି ଅବିସ୍ମରଣୀୟ ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରହାର , ଯାହାର ନିର୍ଦ୍ଦେଶନା ସେ ନିଜେ କରିଥିଲେ । ଅବ ତକ ଛପନ, ୱେଲକମ , ରାଜନୀତି , ଏବଂ ନଟସମ୍ରାଟ ଅନ୍ୟତମ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ନାନା ପାଟେକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ନାନାଙ୍କ ଅଭିନୟର ବିଶିଷ୍ଟ ଶୈଳୀ, ଦମଦାର ଉପସ୍ଥିତି ଏବଂ ବିଭିନ୍ନ ଚରିତ୍ରକୁ ଜୀବନ୍ତ କରିବାର କ୍ଷମତାକୁ ସେ ପ୍ରଶଂସା କରିଛନ୍ତି । ନାନା ପାଟେକରଙ୍କ ଭଳି ଅଭିନୟ କରିପାରୁଥିବା କଳାକାର ବହୁତ କମ୍ । ତାଙ୍କ ଅଭିନୀତ ଅନେକ ଚରିତ୍ରକୁ ଅନେକ ପିଢି ମନେ ରଖିବେ । ହିନ୍ଦୀ ଓ ମରାଠୀ ସିନେମା ପ୍ରତି ନାନାଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି ।
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନାନା ପାଟେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ନାନାଙ୍କ ମୃତ୍ୟୁକୁ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାନା ପାଟେକରଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି କହି ତାଙ୍କ ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ନାନା ଜଣେ ବଡ଼ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ମରାଠୀ ଓ ହିନ୍ଦୀ ସିନେମାରେ ସେ ନିଜର ଏକ ସ୍ୱତନ୍ତ୍ର ଯୁଗ ସୃଷ୍ଟି କରିଥିଲେ । କୃଷକଙ୍କ ସହାୟତା ପାଇଁ ନାନା ପାଟେକର ମକରନ୍ଦ ଅନାସପୁରେଙ୍କ ସହ ମିଶି ‘ନାମ୍ ଫାଉଣ୍ଡେସନ’ ଗଠନ କରିଥିଲେ । ମରୁଡ଼ି ସମୟରେ କୃଷକଙ୍କ ପାଖରେ ଠିଆ ହେବା ସହ ନିଜେ କ୍ଷେତକୁ ଯାଇ ଲୋକଙ୍କ ପାଇଁ କାମ କରୁଥିଲେ ।
ନାନା ପାଟେକରଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।
