ସିଇସି ଜ୍ଞାନେଶ କୁମାରଙ୍କୁ Z+ ସୁରକ୍ଷା, ଘର ଓ ଅଫିସ୍ ବାହାରେ ଅତିରିକ୍ତ ଯବାନ ମୁତୟନ

CEC

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି । ତାଙ୍କ ପାଖରେ ପୂର୍ବରୁ Z+ ସୁରକ୍ଷା ରହିଥିବା ବେଳେ ଏବେ ଏହାକୁ ବଢ଼ାଇ ଦିଆଯାଇଛି । ଜ୍ଞାନେଶ କୁମାରଙ୍କ ବ୍ୟକ୍ତିଗତ ସୁରକ୍ଷା ସହିତ ଦିଲ୍ଲୀ ବାସଭବନ, ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଅତିରିକ୍ତ ସୁରକ୍ଷାବଳ ନିୟୋଜିତ ହୋଇଛନ୍ତି । ଜ୍ଞାନେଶ କୁମାରଙ୍କୁ ନେଇ ସମ୍ଭାବ୍ୟ ବିପଦର ପୁନଃ ଆକଳନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ତାଙ୍କ ଆବାସ ଆଖପାଖରେ ୨୪ ଘଣ୍ଟା ପୋଲିସ ମୁତୟନ ରହିବେ ।

ଖବର ମୁତାବକ, ଦିଲ୍ଲୀ ଓ ଆଗ୍ରାରେ ଜ୍ଞାନେଶ କୁମାରଙ୍କ ଘର ନିକଟରେ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଜ୍ଞାନେଶ କୁମାରଙ୍କ ସୁରକ୍ଷା ପାଇଁ CISF ସହିତ RAF, CRPF ଓ ଦିଲ୍ଲୀ ପୋଲିସର ଅତିରିକ୍ତ ଯବାନଙ୍କୁ ନିର୍ବାଚନ ସଦନରେ ମୁତୟନ କରାଯାଇଛି । ତାଙ୍କ ବ୍ୟକ୍ତିଗତ ସୁରକ୍ଷା ସହ ଘର ଓ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ାଇ ଦିଆଯାଇଛି । ତାଙ୍କ ଘର ଆଗରେ ୨୪ ଘଣ୍ଟିଆ ପୋଲିସ ନିୟୋଜିତ ରହିବ । ବର୍ତ୍ତମାନର ବିପଦ ସ୍ଥିତି ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

କିଛି ଦିନ ପୂର୍ବରୁ କଂଗ୍ରେସ କର୍ମୀମାନେ ଆଗ୍ରାରେ ତାଙ୍କ ଘର ବାହାରେ ପହଞ୍ଚି ବିକ୍ଷୋଭ କରିଥିଲେ । ଏହି ସମୟରେ ତାଙ୍କ ବିରୋଧରେ ନାରାବାଜି କରିବା ସହ ଘରର ମୁଖ୍ୟ ଫାଟକ ଓ କାନ୍ଥରେ ସ୍ପ୍ରେ ପେଣ୍ଟରେ ନାରା ଲେଖାଯାଇଥିଲା । ତେବେ ତାଙ୍କ ଜୀବନ ପ୍ରତ ବିପଦ ଦେଖି ସୁରକ୍ଷା ବଢାଇ ଦିଆଯାଇଛି ।

Share