ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଖରୀ ହିଡ଼ରୁ ମୃତଦେହ ଉଦ୍ଧାର

D7a8a535 9e1d 4cdd 9293 1d1d26eff337 750x430

ବରଗଡ: ଦଶହରାରେ ବରଗଡ ବିଜେପୁରରେ ଖେଳିଗଲା ଦୁଃଖର କଳାବାଦଲ । ନାବାଳକ ନିଖୋଜ ନେଇ ପୁରା ଅଂଚଳରେ କେଳିଗଲା ଚାଂଚଲ୍ୟ । ଟି.ଗଣ୍ଡପାଲି କର୍ଣ୍ଣପା ଗାଁରେ ୭ବର୍ଷୀୟ ଶିଶୁ ନିଖୋଜ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତାପର ଦିନ ମିଳିଲା ମୃତଦେହ । ୭ବର୍ଷୀୟ ଶିଶୁ ପୁତ୍ରର ସନ୍ଦେହଜନକ ମୃତ୍ୟୁ ହୋଇଛି । ସେପଟେ ପରିବାରଲୋକ ଆଣିଛନ୍ତି ହତ୍ୟା ଅଭିଯୋଗ । ପୋଲିସ ହତ୍ୟା ସନ୍ଦେହରେ ଅନ୍ୟଜଣେ ନାବାଳକଙ୍କୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଗତ ୨୧ତାରିଖ ଦିନ ୨ଟାରେ ସାଙ୍ଗମାନଙ୍କ ସହ ମିଶି ମାଛ ଧରିବାକୁ ଯାଇଥିଲେ ୭ବର୍ଷର ନାବାଳକ । ବହୁସମୟ ଧରି ଘରକୁ ନଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ପରେ ବିଜେପୁର ଥାନାରେ ଏତଲା ଦେଇଥିଲେ ପରିବାରଲୋକ । ପରଦିନ ସକାଳୁ ଗାଁ ନିକଟ ପୋଖରୀ ହିଡ କଡରୁ ଶିଶୁଟିର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।

ଘଟଣା ପ୍ରଘଟ ହେବା ପରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଶିଶୁଟିର କାନରୁ ରକ୍ତ ବାହାରୁଥିଲା ଏବଂ ଦେହରେ ମଧ୍ୟ ରକ୍ତ ଲାଗିଥିବାରୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଥିବା ପୋଲିସ କହିଛି । ଗାଁର ଯେଉଁ ନାବାଳକ ସାଙ୍ଗ ସହ ମାଛ ଧରିବାକୁ ଯାଇଥିଲା ତାକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମୃତ ଶିଶୁର କାନରୁ ରକ୍ତ ବାହାରୁଥିବାରୁ ତା ବେକକୁ ଗାମୁଛାରେ ବାନ୍ଧି ଭିଡିଦେଇଥିବା ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ରିର୍ପୋଟରୁ ସ୍ପଷ୍ଟ ହେବ ମୃତ୍ୟୁର ପ୍ରକୃତ କାରଣ । ତେବେ ଗ୍ରାମବାସୀଙ୍କ କହିବା ହେଲା ମାଛ ଧରା ଜଗାକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟାକଟିରୁ ୧୩ ବର୍ଷୀୟ ପିଲାଟି ୭ ବର୍ଷୀୟ ନାବାଳକକୁ ମାରିଦେଇଛି । ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି ।

Share