ନଭେମ୍ବର ଶେଷରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ଆଶଙ୍କା

୨

ଭୁବନେଶ୍ବର: ନଭେମ୍ବର ଶେଷରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା । ବଙ୍ଗୋପସାଗରରେ ଦାନା ବାନ୍ଧିବ ନୂଆ ପାଣିପାଗ ବ୍ୟବସ୍ଥା । ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ନଭେମ୍ବର ଶେଷ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ବ୍ୟବସ୍ଥା ସୃଷ୍ଟି ହେବାର ସମ୍ଭାବନା । ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଶନିବାର ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ନଭେମ୍ବର ଶେଷ ଆଡ଼କୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଏହାର ପରବର୍ତ୍ତୀ ଗତିବିଧି ଉପରେ ନଜର ରହିବ ।

ତେବେ ଏହା ଲଘୁଚାପରେ ପରିଣତ ହେବ କି ନାହିଁ, ପରବର୍ତ୍ତୀ ସମୟରେ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଏବେଠାରୁ ନିଶ୍ଚିତ କହିହେବ ନାହିଁ । ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସମୟ ଭାବେ ପରିଗଣିତ ହୋଇଥାଏ । ସମୁଦ୍ରର ଉଷ୍ଣ ଜଳରାଶି, ବାୟୁମଣ୍ଡଳରେ ଆର୍ଦ୍ରତା ଓ ଅନ୍ୟାନ୍ୟ ପାଣିପାଗୀୟ ପରିସ୍ଥିତି ଅନୁକୂଳ ରହିଲେ ଏଭଳି ଘୂର୍ଣ୍ଣିବଳୟ ଅଧିକ ସଂଗଠିତ ହୋଇପାରେ । ଓଡ଼ିଶା ପାଇଁ ଏହି ନୂଆ ପାଣିପାଗ ବ୍ୟବସ୍ଥାର କି ପ୍ରଭାବ ରହିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଅର୍ଥ ବାତ୍ୟା ହେବା ନୁହେଁ। ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପରବର୍ତ୍ତୀ ସମୟପରେ ସ୍ପଷ୍ଟ ଚିତ୍ର ମିଳିପାରିବ ।

ପାଣିପାଗ ବିଭାଗର ନଭେମ୍ବର ୧୯ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ରୁ ୩୦ ଆଡ଼କୁ ଏହି ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଆଇଏମ୍ ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ଏବେଠାରୁ ଆକଳନ କରିବା ଶୀଘ୍ର ହେବ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ନିକଟରେ ବାତ୍ୟା ଅକଭାନ୍ ର ପ୍ରଭାବ ଅନୁଭବ କରିଥିବା ଓଡ଼ିଶାରେ ନୂଆ ପାଣିପାଗ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷକରି ଧାନ ଅମଳ ସମୟରେ ପୁଣି ବର୍ଷା ହେବ କି ନାହିଁ, ତାହା ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଓଡ଼ିଶାରେ ବର୍ଷା କିମ୍ବା ବାତ୍ୟା ପ୍ରଭାବ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପୂର୍ବାନୁମାନ ଦିଆଯାଇନାହିଁ ।

Share