ବର ବେଶରେ ନକଲି ଓଏଏସ ଅଫିସର ଗିରଫ, ଚାକିରି କରାଇବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

୩

ସମ୍ବଲପୁର : ନକଲି ଓଏଏସ ଅଫିସର ଗିରଫ ।  ଚାକିରି କରାଇ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା ପୋଲିସ ।  ସମ୍ବଲପୁର ସଦର ପୋଲିସ ଜଣେ ନକଲି ଓଏଏସ୍ ଅଫିସର ବିବାହ ପାଇଁ ଶୋଭାଯାତ୍ରାରେ ଯିବା ବେଳେ ଗିରଫ କରିଛି ।  ଅଭିଯୁକ୍ତ ଜଣକ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଜରିପଡ଼ା ଅଞ୍ଚଳର ସୁମନ୍ତ ଓରାମ ବୋଲି ଜଣାପଡ଼ିଛି ।

ସମ୍ବଲପୁର ସଦର ଥାନା ଅନ୍ତର୍ଗତ ନୀଳଡୁଙ୍ଗୁରୀ ଗାଁର ଲିଙ୍ଗରାଜ ଟପ୍ପୋଙ୍କର ୨୦୨୪ ମସିହାରେ ଇନଷ୍ଟାଗ୍ରାମ ମାଧ୍ୟମରେ ସୁମନ୍ତ ଓରାମଙ୍କ ସହ ପରିଚୟ ହୋଇଥିଲା ।  ସୁମନ୍ତ ନିଜକୁ ଜଣେ ଓଏଏସ୍ ଅଫିସର ଭାବେ ପରିଚୟ ଦେଇଥିଲେ ।  ନାଲକୋରେ ଇଞ୍ଜିନିୟର ଚାକିରି କରାଇଦେବାର ପ୍ରଲୋଭନ ଦେଖାଇଥିଲେ ।  ଅଭିଯୁକ୍ତଙ୍କ କଥାରେ ବିଶ୍ୱାସ କରି ଲିଙ୍ଗରାଜ ଅନଲାଇନ ୟୁପିଆଇ ପେମେଣ୍ଟ ଏବଂ ନଗଦ ଆକାରରେ ମୋଟ ୨୧ ଲକ୍ଷ ଟଙ୍କା ଦେଇଥିଲେ ।

ତେବେ ଟଙ୍କା ନେବା ପରେ ମଧ୍ୟ ଚାକିରି ମିଳିନଥିଲା ଏବଂ ବାରମ୍ବାର ମାଗିବା ସତ୍ତ୍ୱେ ସୁମନ୍ତ ଟଙ୍କା ଫେରାଇ ନଥିଲେ ।  ଏହି ଘଟଣା ଭିତରେ ଅଭିଯୁକ୍ତ ସୁମନ୍ତ ନିଜକୁ ଓଏଏସ୍ ଅଫିସର ଦର୍ଶାଇ ସମ୍ବଲପୁରର ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ଧରି ଆସିଥିବା ନେଇ ଖବର ପାଇଥିଲେ ଲିଙ୍ଗରାଜ ।  ସେ ତୁରନ୍ତ ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିଲେ ।  ପୋଲିସ ଏକ ମାମଲା ରୁଜୁ କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ବରବେଶରେ ଥିବା ସୁମନ୍ତଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରିବା ସହ ଗିରଫ କରିଛି ।

Share