ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନେପାଳ ସମକକ୍ଷ ବାଲେନ୍ଦ୍ର ଶାହଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା ପରେ ଭାରତ ଓ ନେପାଳ ସୋମବାର ସ୍ପେସ୍ ଟେକ୍ନୋଲଜି, ସୁରକ୍ଷା, ହେଲଥକେୟାର, କୃଷି ଓ ସହରାଞ୍ଚଳ ବିକାଶ ଭଳି କ୍ଷେତ୍ରରେ ସହଯୋଗ ବଢାଇବା ପାଇଁ ୮ଟି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଅଯୋଧ୍ୟାକୁ ନେପାଳର ଜନକପୁର ସହ ସଂଯୁକ୍ତ କରୁଥିବା ସରଜୁ-କମଳା ଏକ୍ସପ୍ରେସ୍ କୁ ଭର୍ଚୁଆଲ ସବୁଜ ପତାକା ଦେଖାଇଛନ୍ତି। ଆଲୋଚନା ପରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଥିବା ବେଳେ କହିଛନ୍ତି ଯେ ଦୁଇ ଦେଶ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବା ପାଇଁ କେତେକ ଜରୁରି ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ୍ଦ୍ର ଶାହଜୀ ପ୍ରଥମ ଦ୍ୱୀପାକ୍ଷୀୟ ଗସ୍ତ କାର୍ଯ୍ୟକ୍ରମରେ ଭାରତ ଆସିଛନ୍ତି, ତାଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ଅବସରରେ ମୋଦି ନେପାଳର ପୁନଃନିର୍ମାଣ ଓ ଦୀର୍ଘାବଧି ବିକାଶ ନିମନ୍ତେ ନେପାଳୀ ମୁଦ୍ରାରେ ୨୪ ହଜାର କୋଟି ଟଙ୍କା (ଭାରତୀୟ ମୁଦ୍ରାରେ ୧୫,୦୦୦ କୋଟି ଟଙ୍କା)ର ଡେଭଲପମେଣ୍ଟ କୋ-ଅପରେସନ ପ୍ୟାକେଜ ଘୋଷଣା କରିଛନ୍ତି। ଖାସ କରି ଗତ ଅଗଷ୍ଟ ମାସରେ ଆସିଥିବା ଭୟାନକ ବନ୍ୟା ପରେ ଭାରତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଯେ ଆମର ଏହି ପ୍ୟାକେଜ ପ୍ରଭାବିତ ପରିବାରଙ୍କ ଜୀବନକୁ ପୁଣି ସ୍ୱଭାବିକ କରିବାରେ ସହାୟହ ହେବା ସହ ନୂଆ ଅବସର ତିଆରି କରିବା ତଥା ଭବିଷ୍ୟତର ବିପଦ ମୁକାବିଲା ନିମନ୍ତେ ନେପାଳର କ୍ଷମତାକୁ ଆହୁରି ମଜଭୁତ କରିବ।

ମୋଦି ଅଯୋଧ୍ୟ ଓ ଜନକପୁରକୁ ସଂଯୁକ୍ତ କରୁଥିବା ଟ୍ରେନ ସର୍ଭିସ ଲଞ୍ଚର ଉଲ୍ଲେଖ କରି ଦୁଇ ଦେଶଙ୍କ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋଦି କହିଛନ୍ତି ଯେ ଭଗବାନ ରାମ ଓ ମାତା ସୀତା ଆମ ଉଭୟ ସଭ୍ୟତାର ଆସ୍ଥା ଓ ପ୍ରତୀକ। ୨୦୧୮ ମସିହାରେ ଜନକପୁରୀର ପବିତ୍ର ମାଟିରେ ମୁଁ କହିଥିଲି ଯେ ଆମର ତୀର୍ଥସ୍ଥଳ ନେପାଳ ବିନା ଅଧୁରା। ୨୦୨୪ରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ଅଭିଷେକ ହେଲା। ଏହି ଐତିହାସିକ ଅବସର ଆମର ଦ୍ୱୀପାକ୍ଷୀୟ ଆସ୍ଥାକୁ ଆହୁରି ମଜଭୁତ କରିଥିଲା। ଆଜିଠୁ ସରୟୁ-କମଳା ଏକ୍ସପ୍ରେସ୍ ଟ୍ରେନ ସର୍ଭିସ ଆରମ୍ଭ ହେବା ସହିତ ଆମର ପବିତ୍ର ସମ୍ପର୍କକୁ ଏକ ନୂଆ ଦିଗଦର୍ଶନ ଦେଇଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମେ ସମସ୍ତେ ମିଶି ଭାରତ-ନେପାଳ ସମ୍ପର୍କର ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିବା।

ବାଲେନ ଶାହ ଦୁଇ ଦିବସୀୟ ସରକାରୀ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି, ମାର୍ଚ୍ଚ ୨୦୨୬ରେ ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ କାର୍ଯ୍ୟକ୍ରମ।