ହରିୟାଣା : ହରିୟାଣାର ରୋହତକରେ ଢାବା ଉପରେ ଗୁଳିମାଡ଼ । ଏହି ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ବୁଧବାର ବିଳମ୍ବିତ ରାତିରେ ଖରାୱାଡ଼ ପୋଲିସ ଫାଣ୍ଡିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଥିବା ଏକ ଢାବାରେ ୫ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ । ଏକ କାରରେ ଆସିଥିବା ଦୁର୍ବୃତ୍ତମାନେ ହଠାତ୍ ଗୁଳି ଚଳାଇଥିଲେ । ଆକ୍ରମଣ ପରେ ଅଭିଯୁକ୍ତମାନେ ଅସ୍ତ୍ରଶସ୍ତ୍ର ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଖବର ଅନୁସାରେ, ରାତି ପ୍ରାୟ ୧୨ଟା ୩୦ ମିନିଟରେ ୫ ଜଣ ଦୁର୍ବୃତ୍ତ ଏକ କାରରେ ଆସି ଢାବାରେ ପହଞ୍ଚିଥିଲେ । ସେହି ସମୟରେ ଢାବାରେ କିଛି ଯୁବକ ଖାଦ୍ୟ ଖାଉଥିବା ବେଳେ ହଠାତ୍ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଢାବାରେ ଥିବା ଲୋକଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା । ଗୁଳିମାଡ଼ରେ ୩ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଯୁବକ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ପିଛା କରି ଗୁଳି କରିଥିଲେ । ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।
ମୃତକମାନଙ୍କ ପରିଚୟ ମିଳିଛି । ଏହି ହତ୍ୟାକାଣ୍ଡକୁ ଭାଉ ରିଟୋଲିଆ ଗ୍ୟାଙ୍ଗ ଓ ସନ୍ନି ରିଟୋଲିଆ ଗ୍ୟାଙ୍ଗ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗୱାର୍ ସହ ଯୋଡ଼ି ଦେଖାଯାଉଛି । ପୁରୁଣା ଶତ୍ରୁତାରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଆକ୍ରମଣକାରୀଙ୍କ ପରିଚୟ ନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଘଟଣାର ଖବର ପାଇ ରୋହତକ ପୋଲିସ ରେଞ୍ଜର ଆଇଜି ହାମିଦ ଅଖତର ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସ୍ପି ଗୌରବ ରାଜପୁରୋହିତଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ। ସିଆଇଏ, ସ୍ପେଶାଲ ସେଲ୍ ଓ ଏଫ୍ଏସ୍ଏଲ୍ ଟିମ୍ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ।
