ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପାଇଁ ନିର୍ବାଚନ ଇସ୍ତାହାର ଘୋଷଣା କଲା ସମାଜାବାଦୀ ପାର୍ଟି। ଆସନ ବୁଝାମଣା ନେଇ କଂଗ୍ରେସ ସହିତ ଟଣାଓଟରା ଚାଲିଥିବା ବେଳେ ଗୁରୁବାର ଦଳ ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି। ଏଥିରେ ପ୍ରମୁଖ ଘୋଷଣାଗୁଡ଼ିକ ମଧ୍ୟରେ ରହିଛି, ୫ ବର୍ଷରେ ୨୫ ଲକ୍ଷ ସରକାରୀ ଚାକିରି, ଗ୍ରାଜୁଏଟଙ୍କୁ ୫ ହଜାର ପର୍ଯ୍ୟନ୍ତ ବେରୋଜଗାରୀ ଭତ୍ତା, କୃଷି ଋଣ ଛାଡ଼ ଏବଂ ୨୩ ଫସଲ ଓ କ୍ଷୀର ଉପରେ ଏମ୍ଏସପିର ଲିଗାଲ ଗ୍ୟାରେଣ୍ଟି।
ସପାର ନିର୍ବାଚନ ଇସ୍ତାହାର ନାଁ- ‘ସତାଇସ କା ସଂକଳ୍ପ: ପିଡିଏ କା ପ୍ରାଣ ପତ୍ର- ଜନ ମନ କା ମେନୁଫେଷ୍ଟ ୨୦୨୭’ ରଖାଯାଇଛି। ଏଥିରେ ବିପିଏଲ୍ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ୨୬ ହଜାର ପ୍ରାଇମେରି ସ୍କୁଲ ପୁନଃ ଖୋଲିବା, ଏବଂ ଯୁକ୍ତ ୨ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁରୁଣା ଲ୍ୟାପଟପ ସ୍କିମକୁ ପୁଣିଥରେ ଲାଗୁ କରିବାକୁ ଘୋଷଣା କରିଛି ଦଳ। ଇସ୍ତାହାରରେ ଆଉ କଣ ସବୁ ରହିଛି ଆସନ୍ତୁ ଜାଣିବା।
ରୋଜଗାର, ଚାକିରି ଓ ପେପର ଲିକ ସମାଧାନ
ସପାର ନିର୍ବାଚନ ଇସ୍ତାହାରରେ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛି। ୨୫ ହଜାର ସରକାରୀ ନିଯୁକ୍ତି ବାଦ୍ ୫ ବର୍ଷରେ ବିଭିନ୍ନ କ୍ଷେତ୍ରରେ ୨-୩ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ଗ୍ରାଜୁଏଟମାନଙ୍କୁ ଚାକିରି ନ ପାଇବା ପର୍ଯ୍ୟନ୍ତ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳିବ। ନିଯୁକ୍ତିରେ ବିଳମ୍ବ ଏବଂ ଅନିୟମିତତା ସମସ୍ୟାର ସମାଧାନ, ସରକାରୀ ଖାଲି ପଦବୀ ପାଇଁ ଏକ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତାବ ଦିଆଯିବ। ଏକକ ପର୍ଯ୍ୟାୟ ପରୀକ୍ଷା ସହିତ ନିଯୁକ୍ତି ପ୍ରକ୍ରିୟା ତିନି ମାସ ମଧ୍ୟରେ ସମାପ୍ତ କରାଯିବ। ବହୁ ପର୍ଯ୍ୟାୟ ସହିତ ଜଡ଼ିତ ନିଯୁକ୍ତି ପ୍ରକ୍ରିୟାକୁ ୬ ମାସରେ ଶେଷ କରାଯିବ। ସେହିପରି ପେପର ଲିକ୍ ମୁକ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ। ଯଦି ଭୁଲ ହୁଏ, ଏଥିପାଇଁ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦାୟୀ କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି।
ଦକ୍ଷତା ବିକାଶ ସହ କୃଷିକୁ ଗୁରୁତ୍ୱ
ଦକ୍ଷତା ବିକାଶ କେନ୍ଦ୍ର ଖୋଲି ପ୍ରତି ବର୍ଷ ୫ ଲକ୍ଷ ଲୋକଙ୍କୁ ଟ୍ରେନିଂ ଦିଆଯିବ। ତହସିଲ ସ୍ତରରେ କ୍ୟାରିଅର ମାର୍ଗଦର୍ଶନ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ। ଯେଉଁଥିରେ ବାର୍ଷିକ ୨୦ ଲକ୍ଷ ଯୁବକ ଯୁବତୀ ଉପକୃତ ହେବେ ବୋଲି ସପା ପ୍ରତିଶ୍ରୁତି ଦେଇଛି। ଏକ ସହରାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ମଧ୍ୟ ମେନୁଫେଷ୍ଟେରେ କୁହାଯାଇଛି। ସେହିପରି କୃଷି ପାଇଁ ତୁରନ୍ତ ଋଣ ଛାଡ଼ ସହିତ କ୍ଷୀର ଓ ୨୩ ଫସଲ ଉପରେ ଏମଏସପି ଲିଗାଲ ଗ୍ୟାରେଣ୍ଟି ଦିଆଯିବ। ଏହା ବାଦ୍ ଏମଏସପି ଅଧୀନରେ ଆସୁ ନଥିବା ଆଳୁ, ଟମାଟୋ ଏବଂ ପିଆଜ ଭଳି ଫସଲ ନଷ୍ଟ ହେଲେ ସେଗୁଡ଼ିକ ପାଇଁ ଏକ ମୂଲ୍ୟ କ୍ଷତିପୂରଣ ବ୍ୟବସ୍ଥା ଅଣାଯିବ ବୋଲି ସପା ପ୍ରତିଶ୍ରୁତି ଦେଇଛି।
କୃଷି ଜଳଯୋଗାଣ ପାଇଁ ମାଗଣା ବିଜୁଳି, ଗ୍ରାମାଞ୍ଚଳ ପରିବାରକୁ ୩୦୦ ୟୁନିଟ ମାଗଣା ବିଜୁଳି, ଆଖୁଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ପେମେଣ୍ଟ ଦେବାକୁ ୧୫,୦୦୦ କୋଟିର କର୍ପସ ଫଣ୍ଡ, ଚାଷ ଖର୍ଚ୍ଚ ଅନୁସାରେ ବାର୍ଷିକ ଆଖୁ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ସହ ଆଞ୍ଚଳିକ ଭିତ୍ତିଭୂମି ସୁଧାର ପାଇଁ ଦଳ ୧.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି।
ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଜାତିଭିତ୍ତିକ ଜନଗଣନା ପ୍ରତିଶ୍ରୁତି
ଶିକ୍ଷା କ୍ଷେତ୍ରରରେ ଉପରୋକ୍ତ ଘୋଷଣା ସହିତ ସମସ୍ତ ପ୍ରାଇମେରି ଓ ସେକେଣ୍ଡାରୀ ସ୍କୁଲରେ ମାଗଣା ୱାଇଫାଇ ବ୍ୟବସ୍ଥା, ଶିକ୍ଷାରେ ରାଜ୍ୟ ଜିଡିପିର ୬ ପ୍ରତିଶତ ଖର୍ଚ୍ଚ କରିବାକୁ ଅଖିଳେଶ ଯାଦବ କହିଛନ୍ତି। କେବଳ ସେତିକି ନୁହେଁ, ବର୍ଷକ ଭିତରେ ଶିକ୍ଷା କ୍ଷେତ୍ରରେ ଫାଙ୍କା ଥିବା ସମସ୍ତ ପଦବୀ ପୂରଣ, ଶିକ୍ଷା ମିତ୍ରମାନଙ୍କର ନିୟମିତକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ, ସେମାନଙ୍କ ମାସିକ ମାନଦେୟ ୫,୦୦୦ ଟଙ୍କା ବୃଦ୍ଧି କରାଯିବ ବୋଲି ଦଳ କହିଛି।
ସ୍ୱାସ୍ଥ୍ୟ- ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ବିପିଏଲ, ପଛୁଆବର୍ଗ, ଦଳିତ ଓ ଅଳ୍ପ ସଂଖ୍ୟକ ପାଇଁ ୧୦ ଲକ୍ଷ ଇନ୍ସୁରାନ୍ସ, ସମସ୍ତ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଇଣ୍ଟେନସିଭ୍ କେୟାର ୟୁନିଟ୍ ଏବଂ ଭେଣ୍ଟିଲେଟର ସୁବିଧା ସହିତ ଉନ୍ନତ କରିବା, ସମସ୍ତ ୧୮ ଡିଭିଜନରେ ସୁପର-ସ୍ପେଶାଲିଟି ହସ୍ପିଟାଲ ସ୍ଥାପନ କରିବା ଏବଂ ଗ୍ରାମାଞ୍ଚଳରେ ଏପରି ୫ଟି ହସ୍ପିଟାଲ ନିର୍ମାଣ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି। ଲକ୍ଷ୍ନୌରେ ସୁପର ସ୍ପେଶାଲିଟି କ୍ୟାନସର ହସ୍ପିଟାଲ କୋଲି ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସପା ଘୋଷଣା କରିଛି।
ସେହିପରି ଉତ୍ତର ପ୍ରଦେଶରେ ବିଭିନ୍ନ ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତି ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଯିବ। ବଜେଟର ୨୦ ପ୍ରତିଶତ ଅର୍ଥ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯିବ। ସରକାରୀ ଚାକିରିରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ ବୋଲି ଦଳ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି।
ସମାଜବାଦୀ କ୍ୟାଣ୍ଟିନ, ପୁରୁଣା ପେନସନ ସ୍କିମ ଲାଗୁ, ମହିଳା ସୁରକ୍ଷା
ଅନ୍ୟ ସମାଜସେବା କାର୍ଯ୍ୟ ମଧ୍ୟରେ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସରକାରୀ ଠିକା ମଧ୍ୟରୁ ୫୦ ପ୍ରତିଶତ ଦଳିତ ଏବଂ ‘ପିଡିଏ’ (PDA) ଗୋଷ୍ଠୀ ପାଇଁ ସଂରକ୍ଷିତ ରହିବ। ରାଜ୍ୟବ୍ୟାପୀ ‘ସମାଜବାଦୀ କ୍ୟାଣ୍ଟିନ୍’ ଖୋଲି ମହିଳା, ଗରିବ ଲୋକ ଏବଂ ‘ପିଡିଏ’ ଗୋଷ୍ଠୀର ଲୋକମାନଙ୍କୁ ମାତ୍ର ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ।
୨୦୦୫ ପୂର୍ବରୁ ପ୍ରଚଳିତ ପୁରୁଣା ପେନସନ ଯୋଜନା କୁ ପୁନଃ ଲାଗୁ କରିବା, ଏବଂ ସରକାରୀ ବିଭାଗଗୁଡ଼ିକରେ ଆଉଟସୋର୍ସିଂ ବନ୍ଦ କରିବା, ପ୍ରମୁଖ ସହରଗୁଡ଼ିକରେ AI ଏବଂ IT ହବ୍, ଗାଁ ଓ ସହରାଞ୍ଚଳରେ Wi-Fi ଜୋନ୍ ଏବଂ ନିଯୁକ୍ତି ସୃଷ୍ଟିକାରୀ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂଆ ଶିଳ୍ପ ନୀତି ତିଆରି କରିବାକୁ ପ୍ରସ୍ତାବ ଦେବାକୁ ପ୍ରତିଶ୍ରୁତି ଦେଇଛ ସମାଜାବାଦି ପାର୍ଟି।
ସେହିପରି ରାଜ୍ୟ ପୁଲିସରେ ସଂସ୍କାର, ମହିଳା ସୁରକ୍ଷା ଯେଉଁଥିରେ ନୂଆ ପୋଲିସ ନିଯୁକ୍ତିରେ ମହିଳାଙ୍କ ପାଇଁ ପ୍ରତିନିଧିତ୍ୱ ୩୩ ପ୍ରତିଶତ ରଖିବାକୁ ଦଳ ଘୋଷଣା କରିଛି। ଗାଁ ଓ ସହରଗୁଡ଼ିକରେ ସାର୍ବଜନୀନ ସ୍ଥାନରେ ସିସି ଟିଭି କ୍ୟାମେରା ଏବଂ ଡ୍ରୋନ୍ ନିରୀକ୍ଷଣ, ପ୍ରତ୍ୟେକ ଜିଲ୍ଲାରେ ସାଇବର ଅପରାଧ ୟୁନିଟ୍ କୋଲିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାରରେ ଗଣମାଧ୍ୟମ କର୍ମୀ ଏବଂ ଫିଲ୍ଡ ରିପୋର୍ଟରଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଏବଂ ସାମାଜିକ ସୁରକ୍ଷା ଭଳି କଲ୍ୟାଣକାରୀ ନୀତି, ତହସିଲ ସ୍ତରରେ ଗଣମାଧ୍ୟମ ସୁବିଧା କେନ୍ଦ୍ର ଏବଂ ନୋଏଡା ଏବଂ ଲକ୍ଷ୍ନୌରେ ଗଣମାଧ୍ୟମ ସମ୍ମିଳନୀ କେନ୍ଦ୍ର ସ୍ଥାପନ କରିବାର ପ୍ରସ୍ତାବ ଦିଆଯାଇଛି। ୟୁଟ୍ୟୁବର୍ସ ଏବଂ ସାମାଜିକ ଗଣମାଧ୍ୟମ ୟୁଜରଙ୍କ ପାଇଁ ଏକ ନୂଆ ନୀତି ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଛି।
ସମ୍ବିଧାନ ଦିବସରେ ମେନୁଫେଷ୍ଟୋ ଜାରି କରିବା ସହିତ ବିଜେପି ଉପରେ ଆଟାକ କରିଛନ୍ତି ଅଖିଳେଶ ଯାଦବ। ଅଛେ ଦିନ ଆସିଲା ନାହିଁ ହେଲେ ଖରାପ ଦିନ ନିଶ୍ଚୟ ଯିବ ବୋଲି କହିଛନ୍ତି ଅଖିଳେଶ ଯାଦବ।
