ନୂଆଦିଲ୍ଲୀ: ତାମିଲନାଡୁର ଶାସକ ଦଳ ଟିଭିକେର ବିଧାୟକ ଅରୁଲ୍ ଭିଗ୍ନେଶ ଗିରଫ । କାଲ୍ଲାକୁରିଚି ଜିଲ୍ଲାପାଳ ଜେ. ଇ. ପଦ୍ମଜାଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଅଭିଯୋଗରେ ଅରୁଲ୍ ଭିଗ୍ନେଶଙ୍କୁ ପୁଲିସ ଗିରଫ କରିଛି। ଜିଲ୍ଲାପାଳ ନଭେମ୍ବର ୨୩ ତାରିଖରେ ଏନେଇ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିବାର ୪ ଦିନ ପରେ, ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରେ ୩୬ ବର୍ଷୀୟ ବିଧାୟକଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏତଲା ହେବା ପରେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଧାୟକଙ୍କ ଘର ଓ କାର୍ଯ୍ୟାଳୟ ଚାରିପାଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ବିଧାୟକ ମହିଳା ଆଇଏଏସ୍ ଅଧିକାରୀଙ୍କୁ ଅପମାନଜନକ ମେସେଜ୍ ପଠାଇଥିବା ଏବଂ ତାଙ୍କ ପ୍ରତି ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିବା ପ​‌ରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ଜିଲ୍ଲାପାଳ ନଭେମ୍ବର ୨୩ ତାରିଖରେ କାଲ୍ଲାକୁରିଚି ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ଆଧାରରେ କାଲ୍ଲାକୁରିଚି ଅଲ୍-ୱିମେନ୍ ପୁଲିସ ବିଧାୟକଙ୍କ ବିରୋଧରେ ପାଞ୍ଚଟି କଠୋର ଆଇନଗତ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ବିଧାୟକଙ୍କ ବିରୋଧରେ ତାମିଲନାଡୁ ମହିଳା ନିର୍ଯାତନା ନିବାରଣ ଆଇନ ସମେତ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୭୫, ୭୮, ୭୯ ଏବଂ ୧୩୨ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଧାରାଗୁଡ଼ିକ ଯୌନ ନିର୍ଯାତନା, ପିଛା କରିବା, ମହିଳାଙ୍କ ସମ୍ମାନହାନୀ କରିବା ଏବଂ ଜଣେ ସରକାରୀ କର୍ମଚାରୀଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦେବା ଭଳି ଗୁରୁତର ଅପରାଧ ସହ ଜଡ଼ିତ।

ସୂଚନାଯୋଗ୍ୟ ଯେ, ଡିଏମକେ (DMK) ସାଂସଦ କାନିମୋଝି କରୁଣାନିଧି ପ୍ରଥମେ ଏହି ଅଭିଯୋଗକୁ ସାର୍ବଜନୀନ କରିଥିଲେ । ଏହା ପରେ ଡିଏମକେ ଏବଂ ଏଆଇଏଡିଏମକେ ଭଳି ବିରୋଧୀ ଦଳଗୁଡ଼ିକ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ୟପଟେ, ଜାତୀୟ ମହିଳା ଆୟୋଗ ମଧ୍ୟ ଏହି ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରି ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହା ସହିତ ମାଡ୍ରାସ ହାଇକୋର୍ଟ ମଧ୍ୟ ମାମଲାରେ ହସ୍ତକ୍ଷେପ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।