‘ଦୀପଥୁନ୍’ରେ ପ୍ରଜ୍ୱଳିତ ହେଲା କାର୍ତ୍ତିଗାଇ ଦୀପ; ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ

17

ନୂଆଦିଲ୍ଲୀ: ଶନିବାର ଅପରାହ୍ଣ ପ୍ରାୟ ୫ଟାରେ ତାମିଲନାଡ଼ୁର ମଦୁରାଇ ଜିଲ୍ଲା ଅନ୍ତର୍ଗତ ତିରୁପରଙ୍କୁନ୍ଦ୍ରମ ମୁରୁଗାନ ମନ୍ଦିର ପାହାଡ଼ ଶିଖରରେ ଥିବା ଦୀପଥୁନ୍ (ପଥର ସ୍ତମ୍ଭ) ଉପରେ ପବିତ୍ର କାର୍ତ୍ତିଗାଇ ଦୀପମ୍ ପ୍ରଜ୍ୱଳନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଦୀପ ଜଳାଯାଇଛି। ଫଳରେ ଦୀର୍ଘଦିନର ଅନିଶ୍ଚିତତା, ଧାର୍ମିକ ଉତ୍ତେଜନା ଓ ତୀବ୍ର ଆଇନଗତ ଲଢ଼େଇର ଏକପ୍ରକାର ଅବସାନ ଘଟିଛି।

ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌)ର କଡ଼ା ସୁରକ୍ଷା ମଧ୍ୟରେ ଏହି ଧାର୍ମିକ ସମାରୋହ ଅନୁଷ୍ଠିତ ହୋଇଛି। ତାମିଲନାଡ଼ୁ ସରକାର, ନ୍ୟାୟପାଳିକା, ରାଜନୈତିକ ଦଳ ଓ ହିନ୍ଦୁ ସଂଗଠନଗୁଡ଼ିକ ମଧ୍ୟରେ ଦୀର୍ଘଦିନ ଧରି ଏ ନେଇ ବିବାଦ ଚାଲିଥିଲା । ପ୍ରଦୀପ ପ୍ରଜ୍ୱଳନ ସହ ଏହି ବିବାଦର ଏକପ୍ରକାର ପରିସମାପ୍ତି ଘଟିଛି ।

ଶନିବାର ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ପାହାଡ଼ ଶିଖରରେ ଥିବା ପଥର ସ୍ତମ୍ଭ ଉପରେ ପବିତ୍ର ଦୀପ ପ୍ରଜ୍ୱଳନ ଦେଖିବା ପାଇଁ ଅପେକ୍ଷା କରିଥିଲେ। । ଦୀପ ପ୍ରଜ୍ୱଳନ ପରେ ଶ୍ରଦ୍ଧାଳୁମାନେ ଉତ୍ସବ ପାଳନ କରିବା ସହ ‘ଆରୋହରା’ ଧ୍ୱନିରେ ପାହାଡ଼ ପ୍ରକମ୍ପିତ କରିଥିଲେ। ଅନ୍ୟପକ୍ଷରେ ପାହାଡ଼ ସାରା ସିଆର୍‌ପିଏଫ୍ ଯବାନମାନେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରଖିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିଲା। କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଅତିରିକ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା।

ଶୁକ୍ରବାର ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ନିଲମ୍ବିତ କରିବା ପରେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍‌. ବୈଦ୍ୟନାଥନ ଓ ଜଷ୍ଟିସ୍ ଭି. ପାର୍ଥିବନଙ୍କୁ ଏହି କାର୍ଯ୍ୟକ୍ରମର ରିସିଭର ଭାବେ ନିଯୁକ୍ତ କରିଥିଲେ। ଏହି ସମାରୋହର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତି, ମଦୁରାଇ ଜିଲ୍ଲାପାଳ ନିଶାନ୍ତ କୃଷ୍ଣ, ବରିଷ୍ଠ ପୁଲିସ ଓ ସିଆର୍‌ପିଏଫ୍ ଅଧିକାରୀ ଏବଂ ମନ୍ଦିର ପ୍ରତିନିଧିଙ୍କୁ ନେଇ ୧୩ ଜଣିଆ କମିଟି ଗଠନ କରାଯାଇଥିଲା।

ତେବେ ଦୀପ ପ୍ରଜ୍ୱଳନ ପୂର୍ବରୁ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ହିନ୍ଦୁ ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମସ୍ଥଳରେ ଜିଲ୍ଲାପାଳଙ୍କ ଉପସ୍ଥିତିକୁ ବିରୋଧ କରି ସ୍ଲୋଗାନ ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଭିଡ଼କୁ ନିୟନ୍ତ୍ରଣ କରିବା ସହ ଧାର୍ମିକ ସମାରୋହକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରାଇଥିଲେ।

ସମାରୋହ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ଜଷ୍ଟିସ୍ ବୈଦ୍ୟନାଥନ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ କମିଟି କାର୍ଯ୍ୟ କରିବ ବୋଲି ସେ କହିଥିଲେ। ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇ ଦୀପଥୁନ୍ ଉପରେ ଏକକାଳୀନ ଭାବେ ପାରମ୍ପରିକ ଦୀପ ପ୍ରଜ୍ୱଳନକୁ ଅନୁମତି ଦେଇଥିଲେ। କିନ୍ତୁ ତାମିଲନାଡ଼ୁ ସରକାର ଓ ମନ୍ଦିର କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ହେବା ପରେ ବିବାଦ ତୀବ୍ର ହୋଇଥିଲା।

Share