War

ଗାଜା ସିଟି: ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍‌ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପ‌ାଲେଷ୍ଟିନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍‌-ଶୁହାଦା ଅଞ୍ଚଳରେ ଅବସ୍ଥିତ ଥିଲା। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆକ୍ରମଣ ଯୋଗୁଁ ଉକ୍ତ ଅଟ୍ଟାଳିକାଟି ଧରାଶାୟୀ ହେବା ସହିତ ତା’ ଆଖପାଖରେ ଥିବା ଗୁଡ଼ାଏ କୋଠା ଭାଙ୍ଗି ନଷ୍ଟ ହୋଇଯାଇଛି।

ସେପଟେ, ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଇସ୍ରାଏଲ୍‌ ବିମାନ ଆକ୍ରମଣ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭ଜଣ ପିଲାଙ୍କ ସମେତ ୨୬୬ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି।

ଗାଜାସ୍ଥିତ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍‌ର ବୋମାବର୍ଷଣ ଯୋଗୁଁ ଗାଜାରେ ଅନ୍ୟୂନ ୪,୬୦୦ଜଣଙ୍କର ମୃତ୍ୟୁ ଘଟିଲାଣି।

ସେହିପରି, ଇସ୍ରାଏଲ୍‌ ସରକାର କହିଛନ୍ତି ଯେ, ଅକ୍ଟୋବର ୭ ତାରିଖ ଦିନ ହମାସ୍‌ ଆତଙ୍କବାଦୀମାନେ କରିଥିବା ଅମାନୁଷିକ ଆକ୍ରମଣର ‘ଅଦେଖା ଫୁଟେଜ୍‌’ ରିଲିଜ୍‌ କରାଯିବ।

ସରକାରୀ ମୁଖପାତ୍ର ଆଇଲନ୍‌ ଲେଭି ରବିବାର ଦିନ ‘ଏକ୍ସ’ରେ ପୋଷ୍ଟ୍‌ ହୋଇଥିବା ଭିଡିଓରେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ଶବରୁ ଉଦ୍ଧାର କରାଯାଇଥିବା ଉକ୍ତ ଫୁଟେଜ୍‌ ସବୁ ସୋମବାର ଦିନ ପ୍ରଦର୍ଶନ କରାଯିବ। ନରସଂହାର ବେଳର ଏହି ଫୁଟେଜ୍‌ ସବୁ ଏଯାବତ୍‌ ଜନସାଧାରଣ ଦେଖି ନାହାନ୍ତି।

Share