Lalit 1702642329

ଲୋକସଭାର ସୁରକ୍ଷାବଳୟକୁ ଭେଦ କରି ହଙ୍ଗା କରିଥିବା ଅନୁପ୍ରବେଶକାରୀଙ୍କ ପାଖରେ ପ୍ଲାନ ବି ରହିଥିଲା। ଯଦି ତାଙ୍କର ପ୍ରଥମ ଯୋଜନା ଫେଲ ମାରି ଥାଆନ୍ତା, ତା’ହେଲେ ସେମାନେ ପ୍ଲାନ ବିର ବ୍ୟବହାର କରି ଥାଆନ୍ତେ।

କିନ୍ତୁ ପ୍ରଥମ ଯୋଜନାକୁ ବ୍ୟବହାର କରି ସେମାନେ ସଂସଦ ଭିତରେ ପ୍ରବେଶ କରି ଯାଇଥିଲେ। ଏକଥା ସୁରକ୍ଷା ବଳୟ ଭେଦ କରିବା ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଳିତ ଝା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି।

ଘଟଣା ଦିନ ଠାରୁ ଫେରାର ଥିବା ଲଳିତ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଜେରା ଆରମ୍ଭ କରିଥିଲା। ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଇ ପୁଲିସ୍‌ ୭ ଦିନିଆ ରିମାଣ୍ଡରେ ନେଇଛି। ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୁଲିସ୍‌ ଆଶା ରଖିଛି।

ତେବେ ଆଜି ଜେରା ବେଳେ ଲଳିତ କହିଛନ୍ତି ଯେ ପ୍ଲାନ ଏ ଅନୁସାରେ ଯଦି ନୀଲମ ଓ ଅମୋଲ ସଂସଦ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇ ନଥାଆନ୍ତେ, ତା’ହେଲେ ମହେଶ ଓ କୈଳାସ ଆଉ ଗୋଟିଏ ଦିଗରୁ ସଂସଦ ଆଡ଼କୁ ଯାଇଥାଆନ୍ତେ। ସେମାନେ ଗଣମାଧ୍ୟମ ଆଗରେ ଧୂଆଁ ମାଡ଼ କରିବା ସହ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥାଆନ୍ତେ।

ମହେଶ ଓ କୈଳାସ ଗୁରୁଗ୍ରାମରେ ରହୁଥିବା ବିଶାଲ ଶର୍ମା ଓରଫ ଭିକ୍କିଙ୍କ ଘରେ ପହଞ୍ଚି ପାରି ନଥିଲେ। ଫଳରେ ଅମୋଲ ଓ ନୀଲମଙ୍କୁ ଯେମିତି ହେଲେ ବି ପ୍ଲାନ ଅନୁସାରେ ସଂସଦ ନିକଟରେ ପହଞ୍ଚିବାକୁ କୁହାଯାଇଥିଲା। ଗୁରୁଗ୍ରାମ ଠାରେ ଥିବା ବିଶାଲଙ୍କ ଘରେ ହିଁ ସଂସଦର ସୁରକ୍ଷା ବଳୟ ଭେଦ କରିବା ପାଇଁ ସବୁ ପ୍ରକାରର ଯୋଜନା ହୋଇଥିଲା ବୋଲି ଲଳିତ ପୁଲିସ୍‌କୁ କହିଛନ୍ତି।

ବୁଧବାର ସାଗର ଶର୍ମା ଓ ମନୋରଞ୍ଜନ ଡି ପାସ୍‌ ନେଇ ସଂସଦର ଦର୍ଶକ ଗ୍ୟାଲେରୀରେ ପହଞ୍ଚି ଯାଇଥିଲେ। ଏହାପରେ ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ଚ୍ୟାମ୍ବର ମଧ୍ୟକୁ ଡେଇଁ ହଳଦିଆ ଧୂଆଁ ମାଡ଼ କରିଥିଲେ। ଏହାକୁ ନେଇ ପୂରା ଲୋକସଭାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ଗୃହରେ ଉପସ୍ଥିତ ଥିବା ସାଂସଦମାନେ ଅନୁପ୍ରବେଶ କରିଥିବା ସାଗର ଓ ମନୋରଞ୍ଜନଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଥିଲେ।

ସେମାନେ ଲୋକସଭା ଭିତରେ ହଙ୍ଗାମା କରୁଥିବା ବେଳେ ସଂସଦ ବାହାରେ ନୀଲମ ଓ ଅମୋଲ ସମାନ ଧରଣର ବିକ୍ଷୋଭ କରିଥିଲେ। ପୁଲିସ ସମସ୍ତ ୪ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ନେଇଥିଲା। ଏହାପରେ ବିଶାଲ ଓ ଗୁରୁବାର ବିଳମ୍ବିତ ରାତିରେ ଲଳିତ ଯାଦବ ପୁଲିସ୍‌ ପାଖରେ ଆତ୍ମସମର୍ପଣ କରିଛନ୍ତି। ତେବେ ସେମାନେ ପ୍ଲାନ ଏକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ସକ୍ଷମ ହୋଇଥିଲେ।

ପୂରା ଘଟଣାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଲଳିତ ବୁଧବାର ଠାରୁ ଫେରାର ଥିଲେ। ଯୋଜନା ଅନୁସାରେ ମହେଶ ନାମକ ଜଣେ ଯୁବକ ତାଙ୍କୁ ରାଜସ୍ଥାନରେ ଆତ୍ମଗୋପନ କରିବାରେ ସହାୟତା କରିଥିଲେ। ଲଳିତଙ୍କ ପାଇଁ ସେ ନିଜ ନାଁରେ ଗୋଟିଏ ଗେଷ୍ଟ ହାଉସ ବୁକ କରିଥିଲେ।

ସେଠାରେ ରହି ମହେଶ, ଲଳିତ ଓ କୈଳାସ ନିୟମିତ ଟିଭିରୁ ଘଟଣା ସମ୍ପର୍କରେ ତଥ୍ୟ ହାସଲ କରୁଥିଲେ। ତେବେ ଗୁରୁବାର ବିଳମ୍ବିତ ରାତିରେ ଲଳିତ ଓ ମହେଶ କର୍ତ୍ତବ୍ୟ ପଥ ପୁଲିସ୍‌ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି। ସେହିପରି ପୁଲିସ୍‌ କୈଳାସଙ୍କୁ ମଧ୍ୟ ଧରିବାକୁ ସକ୍ଷମ ହୋଇଛି।

Share