Madhya pradesh high court min 750x430

ଭୋପାଳ: ଜଣେ ବିଚାରପତିଙ୍କ କାର ଛଡ଼ାଇ ନେବା ଅଭିଯୋଗରେ ଜେଲରେ ଥିବା ଦୁଇ ଛାତ୍ରଙ୍କୁ ଜାମିନ ମିଳିଛି। ଡିସେମ୍ବର ୧୨ରୁ ଉଭୟ ଛାତ୍ର ଜେଲରେ ଥିଲେ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଉଭୟ ଛାତ୍ର ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର ଗ୍ୱାଲିଅର୍ ବେଞ୍ଚ ଆବେଦନ ଉପରେ ଶୁଣାଣି ଆରମ୍ଭ କରିବା ପରେ ଛାତ୍ରମାନଙ୍କ ପକ୍ଷ ଶୁଣିଥିଲେ | କାର ଛଡ଼ାଇବାର କାରଣ ଶୁଣିବା ପରେ ଜଜ୍ କହିଛନ୍ତି ଯେ ଅଭିଯୁକ୍ତମାନେ ଏକ ଉତ୍ତମ କାରଣ ପାଇଁ ଏହା କରିଛନ୍ତି। ଏହାକୁ ଅପରାଧ କୁହାଯାଇପାରିବ ନାହିଁ | ଏଭଳି ପରିସ୍ଥିତିରେ ସେମାନଙ୍କୁ ଜାମିନ ପ୍ରଦାନରେ କୋର୍ଟର କୌଣସି ଅସୁବିଧା ନାହିଁ। ଏହା ପରେ ହାଇକୋର୍ଟର ବେଞ୍ଚ ଉଭୟ ଛାତ୍ର ହିମାଂଶୁ ଶ୍ରତି ଏବଂ ସୁକ୍ରିତ ଶର୍ମାଙ୍କୁ ଜାମିନ ଦେଇଛନ୍ତି |
ମିଳିଥିବା ସୂଚନା ମୁତାବକ ଉଭୟ ଛାତ୍ର ଡିସେମ୍ବର ୧୦ରେ ପି.କେ ବିଶ୍ୱବିଦ୍ୟାଳୟର କୁଳପତି ରଞ୍ଜିତ ସିଂଙ୍କ ସହ ଟ୍ରେନରେ ଯାତ୍ରା କରୁଥିଲେ। ରଞ୍ଜିତ ସିଂ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଟ୍ରେନରେ ଉପସ୍ଥିତ କିଛି ଛାତ୍ର ତାଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନା ନେବା ପାଇଁ ଗାଡି ଖୋଜିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ଷ୍ଟେସନ ବାହାରେ ଥିବା ଜଣେ ବିଚାରପତିଙ୍କ କାର ଡ୍ରାଇଭରଙ୍କୁ ସାହାଯ୍ୟ କରିବାକୁ କୁହାଯାଇଥିଲା | ତେବେ ଡ୍ରାଇଭରଜଣକ ମନା କରିବା ପରେ ଛାତ୍ରମାନେ କାରର ଚାବି ଛଡ଼ାଇ ନେଇ କୁଳପତିଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ରଞ୍ଜିତ ସିଂଙ୍କ ଜୀବନ ରକ୍ଷା ହୋଇପାରିନଥିଲା । ତେବେ କାର ଛଡାଇନେବା ଘଟଣାରେ ଏହି ଛାତ୍ରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Share