ସାନ୍‌ ଡିଏଗୋ: ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଶନିବାର ଅପରାହ୍ଣରେ ଉତ୍ତରାଞ୍ଚଳ ମେକ୍ସିକୋର ବାହା କାଲିଫର୍ଣ୍ଣିଆ‌ରେ ଆୟୋଜିତ କାର୍‌ ସୋ’ରେ ଭାଗ ନେଇଥିବା ୧୦ ଡ୍ରାଇଭର୍‌ଙ୍କର ମୃତ୍ୟୁ ଘଟିବା ସହିତ ଆଉ ୯ଜଣ ଆହତ ହୋଇଥିବା କଥା ‘ଷ୍ଟେଟ୍‌ ଆଟର୍ଣ୍ଣି ଜେନେରାଲ୍‌’ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

ବାହା କାଲିଫର୍ଣ୍ଣିଆ‌ ‘ଷ୍ଟେଟ୍‌ ଆଟର୍ଣ୍ଣି ଜେନେରାଲ୍‌’ କାର୍ଯ୍ୟାଳୟର ‘ନିଉଜ୍‌ ରିଲିଜ୍‌’ ଅନୁସାରେ, କାର୍‌ ରେସ୍‌ରେ ଭାଗ ନେବାକୁ ଆସିଥିବା ବ୍ୟକ୍ତିମାନେ ନିଜ ନିଜର ‘ଡ୍ୟୁନ୍‌ ବଗି’ ଷ୍ଟାଇଲ୍‌ କାର୍‌ରେ ବସିଥିବା ସମୟରେ ଗୋଟାଏ ‘ଏସ୍‌ୟୁଭି’ ଗାଡ଼ିରୁ କେତେ ଜଣ ସଶସ୍ତ୍ର ବ୍ୟକ୍ତି ଡେଇଁ ପଡ଼ି ସେମାନଙ୍କ କାର୍‌ ଉପରକୁ ଗୁଳି ଚଳାଇଥିଲେ।

ସାନ୍‌ ଭିସେଣ୍ଟ୍‌ ନାମକ କ୍ଷୁଦ୍ର ନଗରୀ ଦେଇ ପଡ଼ିଥିବା ଟ୍ରାନ୍ସପେନ୍‌ସୁଲାର୍‌ ହାଇୱେରେ ଶନିବାର ଅପରାହ୍ଣ ପ୍ରାୟ ୨.୧୫ ମିନିଟ୍‌ ସମୟରେ ଏହି ଅତର୍କିତ ଆକ୍ରମଣ ସଙ୍ଗଠିତ ହୋଇଥିଲା।

ଶନିବାର ପୂର୍ବାହ୍ନରେ ଏନ୍‌ସିନେଡା ସହରରୁ ‘କ୍ୟାଚାଲିଲାଜୋ’ ବୋଲି କୁହାଯାଉଥିବା ଏହି ‘ରେସ୍‌’ (ଦ୍ରୁତ କାର୍‌ ଚଳାନା ପ୍ରତିଯୋଗିତା) ଆରମ୍ଭ ହୋଇଥିଲା। ଏହାର ଚୂଡ଼ାନ୍ତ ସ୍ଥାନ ବା ‘ଫିନିସ୍ ଲାଇନ୍’ ଥିଲା କାଲିଫର୍ଣ୍ଣିଆ ଉପସାଗର ଅନ୍ତର୍ଗତ ସାନ୍‌ ଫିଲିପ୍।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଥିବା ଏହି ଘଟଣା‌ର କେତୋଟି ଭିଡିଓରେ ଦେଖାଯାଉଛି, ଶବ ସବୁ ତଳେ ପଡ଼ିଥିବା ବ‌େଳେ ପୁଲିସମାନେ ଚାରିଆଡ଼େ ବୁଲି ତଦନ୍ତ କରୁଛନ୍ତି।

ଏହି ଘଟଣାରେ ନିହତ ଏବଂ ଆହତ ବ୍ୟକ୍ତିମାନଙ୍କର ପରିଚୟ ଓ ଜାତୀୟତା ସର୍ବସାଧାରରେ ପ୍ରକାଶ କରାଯାଇନାହିଁ। ମେକ୍ସିକୋର ରେଡ୍‌ କ୍ରସ୍‌ ଆହତମାନଙ୍କୁ ଉତ୍ତର ବାହା କାଲିଫର୍ଣ୍ଣିଆରେ ଥିବା ଡାକ୍ତରଖାନାମାନଙ୍କୁ ନେଇଯାଇଛି।

Share