କେପ୍‌ କନାଭେରାଲ୍‌: ‘ଏକ୍ସିଅମ୍‌ ସ୍ପେସ୍’ଦ୍ବାରା ଆୟୋଜିତ ବେସରକାରୀ ଅଭିଯାନରେ ଆଜି ଫ୍ଲୋରିଡାରୁ ଯିବାକୁ ଥିବା ମହାକାଶ ଯାନରେ ପ୍ରଥମ କରି ସାଉଦି ଆରବରୁ ୨ଜଣ ମହାକାଶଚାରୀ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଯାତ୍ରା କରିବେ।

ସେ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ତନ-କର୍କଟରୋଗ ଗବେଷିକା ରାୟାନା ବର୍ଣ୍ଣାୱି ଏବଂ ଆଉ ଜଣେ ହେଉଛନ୍ତି ଲଢୁଆ ବିମାନ ପାଇଲଟ୍‌ ଅଲି ଅଲ୍‌-କ୍ବାର୍ଣ୍ଣି। ମହାକାଶକୁ ଯାତ୍ରା କରି ଘୂର୍ଣ୍ଣିୟମାନ ପରୀକ୍ଷାଗାର ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ପହଞ୍ଚିବାରେ ରାୟାନା ହେବେ ପ୍ରଥମ ସାଉଦି ମହିଳା।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫.୩୭ରେ ଆମେରିକା ଦକ୍ଷିଣାଞ୍ଚଳର ରାଜ୍ୟ ଫ୍ଲୋରିଡାର କେପ୍‌ କନାଭେରାଲ୍‌ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟର୍‌ରୁ ‘ସ୍ପେସ୍‌ଏକ୍ସ୍‌ ଫାଲ୍‌କନ୍‌ ୯’ ରକେଟ୍‌ରେ ବସି ‘ଦି ଏକ୍ସିଅମ୍‌ ମିସନ୍‌ ୨ (ଏକ୍ସ-୨)’ର ମହାକାଶଚାରୀମାନେ ମହାକାଶକୁ ଯାତ୍ରା କରିବେ।

ସାଉଦି ଆରବ ମହାକାଶଚାରୀଙ୍କ ବ୍ୟତୀତ ଏହି ଅଭିଯାନରେ ‘ନାସା’ର ପୂର୍ବତନ ମହାକାଶଚାରିଣୀ ‌ପେଗି ୱିଟ୍‌ସନ୍‌ ଓ ଟେନିସିର ବ୍ୟବସାୟୀ ଜନ୍‌ ସୋଫ୍‌ନର୍‌ ମଧ୍ୟ ଯିବେ। ଏହି ଅଭିଯାନର ପାଇଲଟ୍‌ ହେଉଛନ୍ତି ଜନ୍‌ ସୋଫ୍‌ନର୍‌।

ସୋମବାର ଅପରାହ୍ଣ ୧.୩୦ରେ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ରରେ ପହଞ୍ଚିବା ପରେ ସେମାନେ ସେଠାରେ ୧୦ ଦିନ ରହିବେ। ସେଥିରେ ସେମାନେ ୨୦ ପ୍ରକାରର ପରୀକ୍ଷା କରିବେ। ସେଥିରୁ ଗୋଟିଏ ହେଉଛି ମାଧ୍ୟାକର୍ଷଣ ଶକ୍ତିରହିତ ଅବସ୍ଥାରେ ‘କାଣ୍ଡ କ‌ୋଷିକା’ର (ଷ୍ଟେମ୍‌ ସେଲ୍‌) ଆଚରଣ ଅଧ୍ୟୟନ।

ଏହାଛଡ଼ା, ସମ୍ପ୍ରତି ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ରରେ ଥିବା ଆଉ ୭ଜଣ ମହାକାଶଚାରୀଙ୍କୁ ବି ସେମାନେ ଭେଟିବେ।

Share