କଟକ/ଯାଜପୁର: ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାହାଡପୁରରେ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ଆକ୍ରମଣ କରାଯାଇଥିବା ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ଦିନ ଭାଜପା ଓଡ଼ିଶା ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ସିକନ୍ଦର ଅଲ୍ଲୀ ଏକ ପଥର ଖଣିକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ବୋଲି କୁହାଯାଉଥିବାରୁ ଏହି ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାହାଡପୁର ଅଞ୍ଚଳରେ ଥିବା କ୍ୱାରୀ ନଂ ୯/୫, ଯାହାକି ପ୍ରାୟ ୧୨ ଏକର ପରିମିତ, ତାହାକୁ ଲିଜ୍ ସୂତ୍ରରେ ନେବା ପାଇଁ ସିକନ୍ଦର ଅଲ୍ଲୀ ଏବଂ ତାଙ୍କ ସହଯୋଗୀମାନେ ଶୁକ୍ରବାର ଦିନ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ବିରୋଧ କରିଥିଲେ। ଦେଖୁ ଦେଖୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଅଭିଯୋଗ ମୁତାବକ, ଯୁବକମାନେ ଶ୍ରୀ ଅଲ୍ଲୀ ଓ ତାଙ୍କ ସହଯୋଗୀଙ୍କୁ ଠେଲାପେଲା କରିବା ସହ ମାରଧର କରିଥିଲେ ଏବଂ ଦୀର୍ଘ ସମୟ ଧରି ସେମାନଙ୍କୁ ଅଟକ ରଖିଥିଲେ। ଖବର ପାଇ ଜେନାପୁର ପୁଲିସ ତିନୋଟି ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚି ସିକନ୍ଦର ଅଲ୍ଲୀ ଏବଂ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରିଥିଲା। ଆହତ ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
ଧର୍ମଶାଳାରେ ବିଜେପି ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚିତ ହେବା ପରଠାରୁ ଅଞ୍ଚଳରେ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଇଥିବା ଏବଂ ଖଣିଖାଦାନ ଉପରେ ବିଧାୟକଙ୍କ ସମର୍ଥକମାନେ ନିୟନ୍ତ୍ରଣ ଜାହିର କରୁଥିବା ନେଇ ଅଭିଯୋଗ ହେଉଛି। ଏହି ଆକ୍ରମଣ ଘଟଣା ପରେ ଏହି ଅଭିଯୋଗ ଆହୁରି ଦୃଢ଼ୀଭୂତ ହୋଇଛି। ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟତର କୁହାଯାଉଥିବା ଜଣେ ବରିଷ୍ଠ ନେତାଙ୍କ ଅସୁରକ୍ଷିତ ହେବା ଘଟଣା ଶାସକ ଦଳର ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।
ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆସିଛି ଓ ଅପରାଧ ରୋକିବା ପାଇଁ ‘ଜିରୋ ଟଲରାନ୍ସ’ ନୀତି ଗ୍ରହଣ କରାଯାଇଛି ବୋଲି ଦାବି କରୁଛନ୍ତି। କିନ୍ତୁ ଶାସକ ଦଳର ନେତାଙ୍କ ଉପରେ ଏଭଳି ଆକ୍ରମଣ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇ ଦେଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ଓ ସୁରକ୍ଷା ଯୋଗାଇଦେବାକୁ ଦାବି ହେଉଛି। ଏହି ଘଟଣାର ଉପର ସ୍ତରୀୟ ତଦନ୍ତ ପାଇଁ ଚାପ ପଡୁଥିବା ମଧ୍ୟ ଶୁଣିବାକୁ ମିଳୁଛି।
ଏଠାରେ ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରେ ଥିବା ପଥର ଖଣିଗୁଡ଼ିକୁ ନେଇ ବିଗତ ଦିନମାନଙ୍କରେ ବାରମ୍ବାର ବିବାଦ ଦେଖାଦେଇଛି | ବେଆଇନ ଖଣି ଖନନ ଏବଂ ସୁରକ୍ଷା ନିୟମ ଉଲ୍ଲଂଘନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅଞ୍ଚଳରେ ରାଜନୈତିକ ହିଂସା ମଧ୍ୟ ଏକ ସାଧାରଣ କଥା ହୋଇପଡିଛି, ଯେଉଁଥିରେ ପୂର୍ବରୁ ବିଭିନ୍ନ ଦଳର ନେତାମାନେ ଆକ୍ରମଣର ଶିକାର ହୋଇଛନ୍ତି।
