Ffe6e162 3b50 4816 b9ce a7cfbf7c8fe3

କୋରାପୁଟ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇ ନଗଦ ଏକ କୋଟି ୪୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଟଙ୍କା, ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ସମେତ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। 

ଜୟପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଶ୍ରୀ ନେପାକଙ୍କର ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଜୟପୁର ଏନ୍.କେ.ଟି ରୋଡ୍‌ରେ ଥିବା ତିନି ମହଲା କୋଠା, ପି.ଆର୍. ପେଟା ଗୋଲଡେନ୍ ହାଇଟ୍ସରେ ଥିବା ଦୁଇଟି ଆପାର୍ଟମେଣ୍ଟ, ସମ୍ବାରତୋଟାରେ ଥିବା ଘର, ଶ୍ୱଶୁର ଘର ଏବଂ ତାଙ୍କ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ।

ଜବତ ସମ୍ପତ୍ତିର ତାଲିକା:

  • ନଗଦ ଟଙ୍କା: ୧ କୋଟି ୪୩ ଲକ୍ଷ ଟଙ୍କା 

  • ବ୍ୟାଙ୍କ ଜମା: ୧ କୋଟି ୩୩ ଲକ୍ଷ ଟଙ୍କାରୁ ଅଧିକ 

  • ସୁନା: ୧.୫୦୪ କିଲୋଗ୍ରାମ 

  • ରୂପା: ୪.୬୩୭ କିଲୋଗ୍ରାମ 

  • କୋଠା ଓ ଫ୍ଲାଟ: ଜୟପୁରରେଏକ ବହୁତଳ କୋଠା ଏବଂ ତିନୋଟି ଫ୍ଲାଟ 

  • ଜମି: ଦୁଇଟି ମୂଲ୍ୟବାନ ପ୍ଲଟ 

  • ଗାଡ଼ି: ଦୁଇଟି ଚାରିଚକିଆ ଯାନ 

ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ନେପାକ ଏହି ବିପୁଳ ସମ୍ପତ୍ତିର କୌଣସି ସନ୍ତୋଷଜନକ ହିସାବ ଦେଇପାରି ନଥିଲେ।  ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍ ନଂ ୨୫/୨୦୨୫) ରୁଜୁ କରାଯାଇଛି ଏବଂ ତାଙ୍କୁ ସ୍ପେଶାଲ୍ ଜଜ୍, ଭିଜିଲାନ୍ସ, ଜୟପୁରଙ୍କ କୋର୍ଟରେ ହାଜର କରାଯିବ। 

ସୂଚନାଯୋଗ୍ୟ ଯେ, ଶ୍ରୀ ନେପାକ ୧୯୮୯ ମସିହାରେ ଜଣେ ଗ୍ରାମ୍ୟ ବନ କର୍ମଚାରୀ ଭାବରେ ଚାକିରି ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସେ ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ଭାବରେ କାର୍ଯ୍ୟରତ ଥିଲେ। ଟଙ୍କା ଗଣତି, ସୁନା ଓ ରୂପା ଅଳଙ୍କାରର ଓଜନ ପରେ ସମ୍ପୂର୍ଣ୍ଣ ବିବରଣୀ ଜଣାପଡ଼ିବ ବୋଲି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଏବଂ ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share