Pm modi in bihar 664x430

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି ଆତଙ୍କବାଦୀ ଖସି ଯାଇପାରିବ ନାହିଁ । ବିହାରର ଗୟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନା କରିବା ସହ ସମ୍ବୋଧନରେ ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଯେତେବେଳେ କୌଣସି ଶତ୍ରୁ ଭାରତକୁ ଚ୍ୟାଲେଞ୍ଜ କରିଛି, ବିହାର ଦେଶ ପାଇଁ ଢାଲ ହୋଇ ଠିଆ ହୋଇଛି। ବିହାର ମାଟିରେ ନିଆଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ। ଯେତେବେଳେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଆମର ନିର୍ଦ୍ଦୋଷ ନାଗରିକମାନଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା, ମୁଁ ବିହାରର ଏହି ମାଟିରୁ ଆତଙ୍କବାଦୀମାନଙ୍କୁ ନିପାତ କରିବା ବିଷୟରେ କଥା ହୋଇଥିଲି। ଆଜି ବିଶ୍ୱ ଦେଖୁଛି ଯେ ବିହାର ମାଟିରୁ ନିଆଯାଇଥିବା ସଂକଳ୍ପ ପୂରଣ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପାକିସ୍ତାନର ଗୋଟିଏ ବି କ୍ଷେପଣାସ୍ତ୍ର ଆମକୁ କ୍ଷତି ପହଞ୍ଚାଇ ପାରିବ ନାହିଁ। ଅପରେସନ୍ ସିନ୍ଦୁର ଭାରତର ପ୍ରତିରକ୍ଷା ନୀତିରେ ଏକ ନୂତନ ରେଖା ଟାଣିଛି। ଆତଙ୍କବାଦୀମାନଙ୍କୁ ଭାରତ ପଠାଇ ଆକ୍ରମଣ କରିବା ପରେ କେହି ଖସି ଯାଇପାରିବେ ନାହିଁ। ଯଦି ଆତଙ୍କବାଦୀମାନେ ପାତାଳରେ ଲୁଚି ରହନ୍ତି, ତେବେ ଭାରତର କ୍ଷେପଣାସ୍ତ୍ର ସେମାନଙ୍କୁ ଖୋଜି ଖୋଜି ସମାଧି ଦେବ ବୋଲି ପୁଣି ଥରେ ଚେତାଇ ଦେଇଛନ୍ତି ମୋଦି ।

ଏଥିସହିତ ମୋଦି ଆଜି ବିହାର ଗୟାରେ ଅନେକ ଲୋକଙ୍କୁ ସ୍ଥାୟୀ ଘର ଚାବି ପ୍ରଦାନ କରିଥିଲେ ।  ଏହି ସମୟରେ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୋର ଏକ ବଡ଼ ସଂକଳ୍ପ ଅଛି। ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କୁ ସ୍ଥାୟୀ ଘର ନମିଳିବା ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବି ନାହିଁ। ଗତ ୧୧ ବର୍ଷ ମଧ୍ୟରେ ୪ କୋଟିରୁ ଅଧିକ ଗରିବ ଲୋକଙ୍କୁ ସ୍ଥାୟୀ ଘର ଦିଆଯାଇଛି। ବିହାରରେ ମଧ୍ୟ ସ୍ଥାୟୀ ଘର ନିର୍ମାଣ କରାଯାଇଥିଲା। ଗୟାରେ ୨ ଲକ୍ଷ ଲୋକଙ୍କୁ ସ୍ଥାୟୀ ଘର ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଗୟା ଜୀଙ୍କ ପବିତ୍ର ଭୂମିରୁ ଗୋଟିଏ ଦିନରେ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି। ଏଗୁଡ଼ିକ ସହିତ ଜଡିତ ଅନେକ ବଡ଼ ପ୍ରକଳ୍ପ ଅଛି। ଶକ୍ତି, ସ୍ୱାସ୍ଥ୍ୟ ଏବଂ ସହରାଞ୍ଚଳ ବିକାଶ। ଏଗୁଡ଼ିକ ବିହାରର ଶିଳ୍ପଗୁଡ଼ିକୁ ମଜବୁତ କରିବ ଏବଂ ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ମୁଁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ବିହାରର ଲୋକମାନଙ୍କୁ ଅଭିନନ୍ଦନ ଜଣାଉଛି।

 

Share