ଭୁବନେଶ୍ବର: ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷ ସରକାର ଯାହା କେବେ ଭାବିନଥିବ, ମୋହନ ସରକାର ତାହା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲାଙ୍କ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ନବୀନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ରାଜ୍ୟର ଦକ୍ଷ କର୍ମଚାରୀ ଏବଂ ଶିଳ୍ପ ଅଭିବୃଦ୍ଧିକୁ ଅବହେଳା କରିବାର ଅଭିଯୋଗ ଆଣିଛନ୍ତି। ପ୍ରବାସକୁ ରୋକିବା ଏବଂ ନିଯୁକ୍ତି ବୃଦ୍ଧି ପାଇଁ ତାଙ୍କ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି, ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଏସବୁ କ୍ଷେତ୍ରରେ ନବୀନ ପଟ୍ଟନାୟକ କେବେବି ଚିନ୍ତା କରିନଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ପ୍ରତିଭାବାନ ମାନବ ସମ୍ବଳ ରହିଛି । କିନ୍ତୁ ସ୍ଥାନୀୟ ସୁଯୋଗର ଅଭାବ ଅନେକଙ୍କୁ ସୁରଟ ଏବଂ କୋଏମ୍ବାଟୁର ଭଳି ସହରକୁ ଶ୍ରମିକ ଭାବରେ ପ୍ରବାସ କରିବାକୁ ବାଧ୍ୟ କରିଛି । ଆମର ସରକାର କ୍ଷମତାକୁ ଆସିବା ପରେ ଏକ ଟେକ୍ସଟାଇଲ୍ କନକ୍ଲେଭ୍ ଆୟୋଜନ କରିଥିଲା ଏବଂ ୩୩ ଟି କମ୍ପାନୀ ସହିତ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଥିଲା। ଏହା ୬,୮୦୦ କୋଟି ଟଙ୍କାର ନିବେଶ ଆଣିଛି, ଯାହା ୫୩,୫୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଦୃଢ ଭାବେ କହିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ମୁଖ୍ୟମନ୍ତ୍ରୀ ଏହା ବି କହିଥିଲେ ଯେ, ନବୀନଙ୍କ କାର୍ଯ୍ୟକାଳରେ ଏପରି ପ୍ରୟାସ ଅନୁପସ୍ଥିତ ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରମୁଖ ଶିଳ୍ପ, ଯେପରିକି ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ (OTM), ଚିନିକଳ, ସୂତାକଳ ଏବଂ କେଉଁଝରରେ ଏକ ପିଗ୍ ଲୁହା କାରଖାନାକୁ ମଧ୍ୟ ବନ୍ଦ କରିଦେଇଥିଲେ।

