Supreme court 1068x601

ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) ଲାଗୁ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇଛନ୍ତି। ଏସଆଇଆର କାର୍ଯ୍ୟକାରୀ କ୍ଷେତ୍ରରେ ନାଗରିକଙ୍କ ପରିଚୟପତ୍ର ଯାଞ୍ଚ ଲାଗି ଆଧାର କାର୍ଡକୁ ‘ଦ୍ଵାଦଶ କାଗଜପତ୍ର’ ରୂପେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ମତଦାତା ସୂଚୀରେ କୌଣସି ମତଦାତାଙ୍କୁ ସାମିଲ ଅଥବା ବହିଷ୍କାର କରିବା ଲାଗି କୌଣସି ବ୍ୟକ୍ତିଙ୍କ ପରିଚୟ ସ୍ଥିର କରିବା ପାଇଁ ଆଧାର କାର୍ଡକୁ ଧ୍ୟାନରେ ରଖାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଶୁଣାଣି ସମୟରେ ନିର୍ବାଚନ ଆୟୋଗ କହିଥିଲେ ଯେ, ୭ କୋଟି ୨୪ ଲକ୍ଷ ମତଦାତାଙ୍କ ମଧ୍ୟରୁ ୯୯.୬ ପ୍ରତିଶତ ପୂର୍ବରୁ କାଗଜପତ୍ର ଜମା କରିସାରିଛନ୍ତି। ପୂର୍ବ ଆଦେଶରେ ୬୫ ଲକ୍ଷ ଲୋକଙ୍କ ପାଇଁ ଆଧାର କାର୍ଡକୁ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା।

ସୋମବାର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି, ନାଗରିକଙ୍କ ପରିଚୟ ଯାଞ୍ଚ ଲାଗି ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥିବା ୧୧ କାଗଜପତ୍ର ସହିତ ଆଧାର କାର୍ଡକୁ ବି ଅନ୍ତର୍ଭୁକ୍ତ କରାଯାଉ। ଏହା ଦ୍ଵାଦଶ କାଗଜପତ୍ର ଭାବେ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗ ଆଧାରକୁ ଯାଞ୍ଚ କରିପାରିବେ। ଏହା ଠିକ୍ କିମ୍ବା ଜାଲ୍ ତାହା ପରଖି ପାରିବେ। ତେବେ ଆଧାର କେବଳ ବାସିନ୍ଦାଙ୍କ ପରିଚୟ, ଏହା କୌଣସି ବ୍ୟକ୍ତିର ନାଗରିକତା ସ୍ଥିର କରିପାରିବ ନାହିଁ ବୋଲି ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି।

ବିଚାରପତି କହିଥିଲେ ଯେ, ଆମେ କୌଣସି ଅବୈଧ ପ୍ରବାସୀଙ୍କୁ ଅନୁମତି ଦେବା ଲାଗି କହୁନାହୁଁ। ଆମେ ଜାଣିଛୁ ଯେ, ଆଧାର ପରିଚୟର ପ୍ରମାଣ। ଏହା ଦ୍ଵାଦଶ କାଗଜପତ୍ର ହେଳେ ସମସ୍ୟା କ’ଣ ?

Share