କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ। ମୋଟ୍ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କରିଥିଲେ ନେପାଳ ସରକାର। ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା ନିଆଁ ଲିଭିଛି ।
ନେପାଳରେ ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ବିରୋଧରେ ହିଂସାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ହିଂସାରେ ଜୀବନ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଘଟଣାର ନ୍ୟାୟିକ ଯାଞ୍ଚ କରାଯିବା ବୋଲି ଘୋଷଣା କରିଛନ୍ତି ନେପାଳ ସଞ୍ଚାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ। ହିଂସାକୁ ଦୃଷ୍ଟିରେ ରଖି ସରକାର ଆପାତକାଳୀନ ବୈଠକ ଡକାଇ ବ୍ୟାନ୍ ହଟାବାକୁ ନିଷ୍ପତ୍ତିତ ନେଇଥିବା ଜଣାପଡ଼ିଛି । ବନ୍ଦ ହୋଇଥିବା ସମସ୍ତ ସୋସିଆଲ ସାଇଟ୍ସ ପୂର୍ବପରି ଚାଲୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।

